ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ବାରଣ

କଟକ,୧୯ା୧: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ହାଇକୋର୍ଟରେ ପହଞ୍ଚିଛି। କୋର୍ଟ ଏହି ମାମଲାର ଶୁଣାଣୀ କରି ୨୪ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ବାରଣ କରିଛନ୍ତି। ଏବେ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ନିଯୁକ୍ତି ପାଇଁ ହୋଇଥିବା କମ୍ପ୍ୟୁଟର-ଆଧାରିତ ପରୀକ୍ଷା (ସିବିଟି) ର ମେରିଟ୍ ତାଲିକା ପ୍ରକାଶ ପାଇବ ପରେ ପ୍ରାଥୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବୁଧବାର ଦିନ ବହୁ ଆଶାୟୀମାନେ ୨୦୨୩ ମସିହାରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଦ୍ୱାରା କରାଯାଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ହୋଇଥିବା ଅନିୟମିତତା ଉପରେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଖବର ଅନୁଯାୟୀ, ଶହ ଶହ ପ୍ରାର୍ଥୀ ଦୁଇଦିନ ଧରି ଭୁବନେଶ୍ୱରରେ ଥିବା ଓସେପା କାର୍ଯ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ ଯେ ମେରିଟ୍ ତାଲିକା ପ୍ରକାଶ ପାଇବା ପୂର୍ବରୁ ପରୀକ୍ଷାର କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇ ନାହିଁ। ଯଦିଓ ଅନେକ ପରୀକ୍ଷାର୍ଥୀ ଅଧିକ ମାର୍କ ପାଇଛନ୍ତି, ତଥାପି ସେମାନଙ୍କୁ ମେରିଟ୍ ତାଲିକାରୁ ବାଦ ଦିଆଯାଇଛି, ସେମାନେ କହିଛନ୍ତି ଯେ, ଯେଉଁମାନେ ସିବିଟି କ୍ଳିଅର କରିଛନ୍ତି ସେମାନଙ୍କ ଅନ୍ତିମ ତାଲିକା ପ୍ରକାଶ ପାଇନାହିଁ।

ଆନ୍ଦୋଳନକାରୀ ମାନେ କହିଛନ୍ତି, “କେଉଁ ଆଧାରରେ ପରୀକ୍ଷାର ଯୋଗ୍ୟତା ତାଲିକା ପ୍ରକାଶ ପାଇଛି ତାହା ଆମେ ବୁଝିବାରେ ଅସମର୍ଥ। ପ୍ରାର୍ଥୀ ଚୟନ ପାଇଁ ମାନଦଣ୍ଡ କ’ଣ? କିଏ କେତେ ମାର୍କ ପାଇଛନ୍ତି ତାହା ମଧ୍ୟ ଆମେ ଜାଣି ପାରିନାହୁଁ।ସେହିପରି ଅନ୍ୟ ଏକ ଦିଗ ଯାହା ଜଣାପଡ଼ୁନାହିଁ ତାହା ହେଉଛି କେତେ ସଫଳ ପ୍ରାର୍ଥୀ ଏସସି, ଏସଟି ଏବଂ ସାଧାରଣ ବର୍ଗର ଅଟନ୍ତି। ”

ସୂଚନାଯୋଗ୍ୟ, କନିଷ୍ଠ ଶିକ୍ଷକ(ସ୍କିମାଟିକ) ଲିଖିତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିଲା। କଳା, ବିଜ୍ଞାନ, ତେଲୁଗୁ, ଉର୍ଦ୍ଧୁ ଓ ବଙ୍ଗାଳୀ ଶିକ୍ଷକ ପାଇଁ ମୋଟ୍‌ ୧୮,୭୮୮ ଜଣ ତାଲିକାରେ ସ୍ଥାନ ପାଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଶିକ୍ଷକ ପାଇଁ ମୋଟ ୯,୯୮୨ଜଣ ସ୍ଥାନ ପାଇଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଶିକ୍ଷକ ପାଇଁ ମୋଟ ୮,୮୦୬ ଜଣ ଆଶାୟୀ ସ୍ଥାନ ପାଇଛନ୍ତି।