ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା: ବ୍ଲକ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା

ମୋରଡା,୨୫ା୧୧(ଡି.ଏନ.ଏ): ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା ପ୍ରତିବାଦରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତର ଆଣୁଆ ଗ୍ରାମବାସୀ ଶୁକ୍ରବାର ବ୍ଲକ ଅଫିସ ଆଗରେ ଧାରଣାରେ ବସିଥିଲେ।
ସୂଚନା ଅନୁଯାୟୀ, ଯୋଗାଣ ବିଭାଗ ଦ୍ୱାରା ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେବା ପାଇଁ ଏକରୁ ସିକା ନାମକ ଏକ ଏସ୍‌ଏଚ୍‌ଜି ଗ୍ରୁପକୁ ଦାୟିତ୍ୱ ଦିଆଯାଇଛି। ଉକ୍ତ ଗ୍ରୁପ ଲୋକଙ୍କୁ ଠିକ୍‌ ମାପର ଚାଉଳ ନ ଦେବା, ଯଦି କେହି ଅସୁବିଧା ହେତୁ ଚାଉଳ ଆଣିବାକୁ ଯାଇ ପାରିଲେ ନାହିଁ, ପରବର୍ତ୍ତୀ ସମୟରେ ତାଙ୍କୁ ଚାଉଳ ନ ଦେବା ଆଦି ସମସ୍ୟାକୁ ନେଇ ଗ୍ରାମବାସୀ ମୋରଡ଼ା ବିଡିଓ ସାଗର ପାଲୋଙ୍କୁ ଗତ ଅକ୍ଟୋବର ୧୦ତାରିଖରେ ଲିଖିତ ଭାବେ ଅଭିଯୋଗ କରିଥିଲେ। କିନ୍ତୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶୁକ୍ରବାର ଶତାଧିକ ଗ୍ରାମବାସୀ ବ୍ଲକ ଅଫିସ ଆଗରେ ଧାରଣାରେ ବସିଥିଲେ। ପରେ ବିଡିଓ ଆଲୋଚନା କରି ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ।