ପ୍ରଶସ୍ତୀକରଣ କାର୍ଯ୍ୟରେ ଅନିୟମିତତା

ପ୍ରୀତିପୁର,୩ା୭(ସୁଶାନ୍ତ ବେହୁରିଆ): ଯାଜପୁର ବିରଜା ମନ୍ଦିରଠାରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ଉକ୍ତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ବିରଜା ମନ୍ଦିରଠାରୁ ୪ କି.ମି. ରାସ୍ତା ଯାଜପୁର ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବାବେଳେ ସେଠାରୁ ସିଂହପୁର ପର୍ଯ୍ୟନ୍ତ କାର୍ଯ୍ୟ ବିଞ୍ଝାରପୁର ପୂର୍ତ୍ତ ବିଭାଗ ଅଧୀନରେ କରାଯାଉଛି। ରାସ୍ତା ପ୍ରଶସ୍ତୀକରଣ ପାଇଁ ମାଟି ବାହାରୁ ଆସି ପକାଇବାର ବ୍ୟବସ୍ଥା ରହିଛି। କିନ୍ତୁ ଏଠାରେ ରାସ୍ତାକୁ ମେଶିନ ଯୋଗେ ଖୋଳି ପୁଣି ସେହି ମାଟିକୁ ରାସ୍ତା କଡ଼ରେ ପକାଇ ତାହାକୁ ସାଇଜ କରାଯାଉଛି। ହେଲେ ମାଟି ବାହାରୁ ଆଣି ପକାଇବା ନାମରେ ଟଙ୍କା ହଡ଼ପ ହେଉଛି। ସେହିପରି ଉନ୍ନତମାନର ଚିପ୍‌ସ ଓ ଡଷ୍ଟ ଗୁଣ୍ଡ ପକାଇବା ପରେ ପାଣି ଦେଇ ବାରମ୍ବାର ରୋଲିଂ କରି ରାସ୍ତାକୁ କଂପ୍ରେସ କରିବାର ନିୟମ ରହିଛି। କିନ୍ତୁ ସେପରି ନ କରାଯାଇ ଅତ୍ୟନ୍ତ ନିମ୍ନମାନର ବଜୁରି ଓ ଡଷ୍ଟ ପକାଇ ବିନା ପାଣିରେ ତାହାକୁ ଗୋଳାଇ ରାସ୍ତାରେ ପକାଇ ତରବରିଆ ଭାବେ ରୋଲିଂ କରାଯାଉଛି। ପୂର୍ତ୍ତ ବିଭାଗର କୌଣସି କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହୁନାହାନ୍ତି। କୌଣସିସ୍ଥାନରେ କାର୍ଯ୍ୟର ସୂଚନା ଫଳକ ମଧ୍ୟ ନାହିଁ। ରାସ୍ତାର ପ୍ଲାନ ଓ ଏଷ୍ଟିମେଟ ମାଗିଲେ ତାହା ଦେଖାଇବାକୁ ଯନ୍ତ୍ରୀ, ଠିକାଦାର ଅମଙ୍ଗ ହେଉଛନ୍ତି।
ଏହି ରାସ୍ତା ସବୁଠୁ ବ୍ୟସ୍ତ ବହୁଳ। ବହୁ ସଂଖ୍ୟାରେ ଭାରିଯାନ ଯାଜପୁରଠୁ ସିଂହପୁର ଦେଇ କନିକା ଏବଂ ଓଳାଭର ପର୍ଯ୍ୟନ୍ତ ଯାଉଛି। ମାତ୍ର ଉଚ୍ଚମାନର କାର୍ଯ୍ୟ ନ କରିବା ଦ୍ୱାରା ପୂର୍ବରୁ ନିର୍ମିତ ଓ ପ୍ରଶସ୍ତୀକରଣ ହୋଇଥିବା ରାସ୍ତା ଭାଙ୍ଗି ଗଲାଣି ଏବଂ ପିଚୁ ମଧ୍ୟ ବର୍ଷକ ମଧ୍ୟରେ ଉଠି ଗଲାଣି। ତେଣୁ ଉଚ୍ଚ ମାନର କାର୍ଯ୍ୟ ନ କରିବା ଯାଏ ଏ ରାସ୍ତା କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବା ଓ ନିମ୍ନମାନର ଚିପ୍‌ସ, ବଜୁରି, ଡଷ୍ଟକୁ ଏହି ରାସ୍ତା କାର୍ଯ୍ୟ ପାଇଁ ଅନୁପଯୁକ୍ତ ବୋଲି ଘୋଷଣା କରାଯିବାକୁ ସାଧାରଣରେ ଦାବି ହୋଇଛି। ଏଥିସହିତ ଉକ୍ତ ଅନିୟମିତତା ସମ୍ପର୍କରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଅଧୀକ୍ଷଣ ଯନ୍ତ୍ରୀ ଓ ଯାଜପୁର ଜିଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଭଳି ଅଭିଯୋଗ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଯାଜପୁର ସେକ୍ସନ ସୀମାଠାରୁ ବିଞ୍ଝାରପୁର ୧୧ କି.ମି. ରାସ୍ତା କାର୍ଯ୍ୟ ନିମନ୍ତେ ୭ କୋଟି ଏବଂ ସେଠାରୁ ସିଂହପୁର ପର୍ଯ୍ୟନ୍ତ ୫ କି.ମି. ରାସ୍ତା ପାଇଁ ୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ ୭ ମିଟର ଚଉଡ଼ା ରାସ୍ତା ନିର୍ମାଣ କରାଯିବ। ବର୍ତ୍ତମାନ କାର୍ଯ୍ୟ ଠିକ୍‌ରେ ହେଉଛି। କୌଣସି ଅନିୟମିତତା ହେଉନାହିଁ।