ଘଟଗାଁ,୪ା୮(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ପରୀକ୍ଷା ଖାତା ଦେଖାରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟର +୩ ପରୀକ୍ଷା ଖାତା ମୂଲ୍ୟାଙ୍କନ ଜୋନ୍କୁ ପ୍ରତ୍ୟାହାର କରାଯାଇଛି। ପରୀକ୍ଷା ଖାତା ଘରକୁ ନେଇଯାଇଥିବା ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ଅନୁଯାୟୀ, ଗତମାସରେ ଇଂରାଜୀ ଖାତା ମୂଲ୍ୟାଙ୍କନ ବେଳେ ଜଣେ ଅଧ୍ୟାପିକା ପରୀକ୍ଷାଖାତା ପରୀକ୍ଷା ହଲରେ ନ ଦେଖି ଲୁଚାଇ ଘରକୁ ନେଇଯାଇଥିଲେ। ଉକ୍ତ ଖାତା ନେଇ ସେ ଅନ୍ୟଜଣଙ୍କୁ ଦେଖିବାକୁ ଦେଇଥିଲେ। ଖାତା ଜଣଙ୍କ ନିକଟରୁ ମିଳିବା ପରେ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମୂଲ୍ୟାଙ୍କନ କେନ୍ଦ୍ର ଜୋନ୍ର ସୁପରଭାଇଜର ରଞ୍ଜନ କୁମାର ପଣ୍ଡା ଉତ୍ତରଓଡ଼ିଶା ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇଥିଲେ। ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉଚ୍ଚ କର୍ତ୍ତୃପକ୍ଷ ପ୍ରଥମେ ଉକ୍ତ ମୂଲ୍ୟାଙ୍କନ କେନ୍ଦ୍ରକୁ ପ୍ରତ୍ୟାହାର କରିନେଇଛନ୍ତି। ଉକ୍ତ ମୂଲ୍ୟାଙ୍କନ କେନ୍ଦ୍ରକୁ ଆସିଥିବା ପରୀକ୍ଷା ଖାତା ଆନନ୍ଦପୁର ସବ୍ଡ଼ିଭିଜିନ ଅନ୍ତର୍ଗତ ସାଇଁକୁଳସ୍ଥିତ ପତିତପାବନ ମହାବିଦ୍ୟାଳୟ କେନ୍ଦ୍ରକୁ ପଠାଯାଇ ବୁଧବାରଠାରୁ ଖାତା ଦେଖାଯାଉଛି। ଏଥିରେ ମହାବିଦ୍ୟାଳୟର ସମ୍ମାନହାନୀ ହୋଇଥିବାରୁ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଅଧ୍ୟକ୍ଷ ପଣ୍ଡା କହିଛନ୍ତି, ଘଟଣା ସମ୍ପର୍କରେ ଜାଣିବା ପରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସମ୍ପୃକ୍ତ ଅଧ୍ୟାପିକାଙ୍କୁ କୈଫତ ମଗାଯାଇଛି ବୋଲି ସେ କହିଥିଲେ।