ଅନୁଦାନ ଖର୍ଚ୍ଚରେ ଅନିୟମିତତା

ବରୀ,୧୬ା୫(ଡି.ଏନ.ଏ.): ଯାଜପୁର ଜିଲା ବରୀ ଶିକ୍ଷାମଣ୍ଡଳ ଅଧୀନ ସାମନ୍ତ ସିଂହାର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆସିଥିବା ଅନୁଦାନ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି। ବରୀ ଅଞ୍ଚଳର ଦର୍ଶନ ବେହେରା ନାମକ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ଏହି ବିଦ୍ୟାଳୟକୁ ୨୦୨୦-୨୧/୨୦୨୧-୨୨/୨୦୨୨-୨୩ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ କେତେ ଅନୁଦାନ ଆସିଥିଲା ଓ କେତେ ଖର୍ଚ୍ଚ ହୋଇଛି ତା’ର ତଥ୍ୟ ମାଗିଥିଲେ। ମାତ୍ର ତାଙ୍କୁ ଯେଉଁ ତଥ୍ୟ ମିଳିଛି ସେହି ଅନୁସାରେ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି। ଏଥିସହିତ ତାଙ୍କୁ ଅସମ୍ପୂର୍ଣ୍ଣ ତଥ୍ୟ ମିଳିଥିବା ସେ ଅଭିଯୋଗ କରିଛନ୍ତି।
ତଥ୍ୟ ଅନୁଯାୟୀ, ଉକ୍ତ ବିଦ୍ୟାଳୟକୁ ଇକୋ କ୍ଲବ୍‌, ସାଇକେଲ କିଣା, ପାଠାଗାର, ଏନର୍ଜି କ୍ଲବ୍‌, ମୋ ସ୍କୁଲ ଅଭିଯାନ, ବିଜ୍ଞାନ ଅନୁଦାନ ଓ କମ୍ପୋଜିଟ୍‌ ଗ୍ରାଣ୍ଟ୍‌ ବାବଦରେ ୨୦୨୦-୨୧ ଆର୍ଥତ୍କ ବର୍ଷରେ ୫ ଲକ୍ଷ ୪୭ ହଜାର ୯୬୦ ଟଙ୍କା, ୨୦୨୧-୨୨ ଆର୍ଥିକ ବର୍ଷରେ ୧ ଲକ୍ଷ ୯୪ ହଜାର ୨୦ ଟଙ୍କା ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ୨ ଲକ୍ଷ ୮୬ ହଜାର ୬୦୦ ଟଙ୍କା ଆସିଛି। ମାତ୍ର ଆସିଥିବା ଅନୁଦାନକୁ ଉପରୋକ୍ତ କାର୍ଯ୍ୟରେ ଠିକ୍‌ରେ ବିନିଯୋଗ କରାଯାଇ ନାହିଁ ବୋଲି ଅଞ୍ଚଳର ୨୧ନଂ. ପୂର୍ବତନ ଜିଲା ପରିଷଦ ସଭ୍ୟ ଶ୍ରୀକାନ୍ତ ମଲିକ, ଅଶୋକ ମଲିକ, ଶାନ୍ତନୁ ମଲିକ, ବିଷ୍ଣୁପ୍ରିୟା ମଲିକ, ଶାନ୍ତନୁ ଦଳାଇ ପ୍ରମୁଖ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି।
ସେହିପରି ପତ୍ର ସଂଖ୍ୟା ୪୦/୨୦୨୩ ତା:୨୯ା୦୪ା୨୦୨୩ରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଶ୍ୱବନ୍ଦିତା ଦାସ ରେଜେଷ୍ଟ୍ରୀ ଡାକ ଯୋଗେ ଆବେଦନକାରୀ ବେହେରାଙ୍କୁ ୩ ଆର୍ଥିକ ବର୍ଷରେ ଆସିଥିବା ଅନୁଦାନ ଏବଂ ଏହାର ବିନିଯୋଗର ପ୍ରମାଣପତ୍ର ପଠାଇଛନ୍ତି। ଏହିପତ୍ର ସଂଖ୍ୟାର ଚତୁର୍ଥ ପୃଷ୍ଠା କ୍ରମିକ ସଂଖ୍ୟା ୪ରେ ବିନିଯୋଗ ପ୍ରମାଣପତ୍ର ଏବଂ ଏହାର ଭାଉଚର ଆବେଦନକାରୀଙ୍କୁ ପ୍ରଦାନ କରାଗଲା ବୋଲି ଉଲ୍ଲେଖ ରହିଛି। ହେଲେ ସେହି ଚତୁର୍ଥ ପୃଷ୍ଠାର କ୍ରମିକ ସଂଖ୍ୟା ୫ରେ ବିନିଯୋଗ ପ୍ରମାଣପତ୍ର ଏବଂ ଏହାର ଭାଉଚରର ଠିକ୍‌ ପ୍ରାମାଣିକ ତଥ୍ୟ ପ୍ରଦାନ ଦ୍ୱାରା ବିଦ୍ୟାଳୟର ଗୋପନୀୟତା ନଷ୍ଟ ହେଉଛି, ତେଣୁ ଏହା ପ୍ରଦାନ କରାଯାଉ ନାହିଁ ବୋଲି ସେ ଆବେଦନକାରୀଙ୍କୁ ସୂଚନା ଦେଇଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣାଙ୍ଗ ସୂଚନା ଦେବା କ୍ଷେତ୍ରରେ କେଉଁ ଉଦ୍ଦେଶ୍ୟରେ କାଳ କ୍ଷେପଣ ନୀତି ଅବଲମ୍ବନ କଲେ ତାହା ତଦନ୍ତ ସାପେକ୍ଷ। ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ପରାମର୍ଶରେ କୌଣସି ମତାମତ ଦେଇ ପାରିବି ନାହିଁ।