
ଛତ୍ରପୁର,୧୩ା୪(ଦିଲ୍ଲୀପ ସାମଲ): ନିମ୍ନମାନର କାମ ସହ ଆର୍ଜବେଷ୍ଟ ଉପରେ ସିମେଣ୍ଟ ପକାଇ ସରକାରୀ ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଖୋଦ ଗଞ୍ଜାମ ଜିଲା ସଦର ମହାକୁମା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବରଙ୍ଗ ଗ୍ରାମ ନିକଟ ବଡ଼ ମାଧପୁର ୩ନଂ. ଉଠାଜଳସେଚନ ପମ୍ପ କାର୍ଯ୍ୟରେ।
ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଏବେ ପଦାରେ ପଡ଼ିଛି। କାର୍ଯ୍ୟ ନିମ୍ନମାନର ସହ ଅନିୟମିତତା ହୋଇଥିବା ଅଞ୍ଚଳର ଚାଷୀମାନେ କହିଛନ୍ତି। ଏନେଇ ସେମାନେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଚାଷୀମାନେ ବାଧ୍ୟ ହୋଇ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି।
ଅନ୍ୟପଟେ ବିଜରଙ୍ଗୀ ପାଣିପଞ୍ଚାୟତର କର୍ମକର୍ତ୍ତା ଓ ସଦସ୍ୟଙ୍କ ଅଜଣାତରେ ମଧ୍ୟ ଠିକାଦାର ଏବଂ ଯନ୍ତ୍ରୀ ମନମୁତାବକ କାମ କରିଛନ୍ତି ବୋଲି ପାଣିପଞ୍ଚାୟତର ସଭାପତି ମହନ୍ତର ନାହାକ ଏବଂ କୋଷାଧ୍ୟକ୍ଷ ପ୍ରଣୟ ପ୍ରଧାନ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ବରଙ୍ଗ ଗ୍ରାମରେ ଥିବା ବଡ଼ମାଧପୁର ୩ନଂ. ଉଠାଜଳସେଚନ ପ୍ରକଳ୍ପଟି ଫାଇଲିନ ବାତ୍ୟାରେ ଭାଙ୍ଗି ଯାଇଥିଲା। ଏନେଇ ଗ୍ରାମର ଚାଷୀମାନେ ବାରମ୍ବାର ଜିଲା ପ୍ରଶାସନଙ୍କୁ ଲିଖିତ ଭାବରେ ଜଣାଇବା ପରେ ୨୦୨୩ରେ ପମ୍ପଟିର ମରାମତି କରିବା ପାଇଁ ସରକାରଙ୍କ ତରଫରୁ ୧୩, ୭୨,୦୦୦ଟଙ୍କା ଆର୍ଥକ ମଞ୍ଜୁର ହୋଇଥିଲା।
ଏହାର ମରାମତି କାମ ସକାଶେ ଗ୍ରାମର ଚାଷୀ କିମ୍ବା ବଜରଙ୍ଗୀ ପାଣିପଞ୍ଚାୟତକୁ ନ ଜଣାଇ ଠିକାଦାର ସେଠାରେ ନିମ୍ନମାନର କାମ କରିଛନ୍ତି। ଏହାସହ ସମସ୍ତ ଅର୍ଥ ହରି ଲୁଟ କରିଛନ୍ତି। କାର୍ଯ୍ୟ ସ୍ଥଳକୁ ନ ଯାଇ ବିଭାଗୀୟ ଅଧିକାରୀମାନେ ବିଲ କରି ଦେଇଛନ୍ତି। ପମ୍ପଟି ୫ ବର୍ଷ ହେଲା ଅଚଳ ହୋଇ ପଡ଼ିଥିଲା। ଟିପିଏସ୍ଡିଓଏଲ ଅଧିକାରୀମାନେ ପୂର୍ବରୁ ସବୁ ବକେୟା ଏବଂ ଅଚଳ ଥିବା ସମୟରେ ବିଲ ମଧ୍ୟ ପକାଇଛନ୍ତି। ଯାହା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଏହାର ସଠିକ ତଦନ୍ତକରି ଚାଷୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।