କୋରାପୁଟ,୧୩।୧୧(ଅମିତାଭ ବେହେରା): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁବନେଶ୍ୱରର ଅଭିରାମ କେୟାର ଟେକିଙ୍ଗ ଏବଂ ଏକ୍ସପର୍ଟ ଠିକାସଂସ୍ଥା ସଫେଇ କର୍ମଚାରୀ, ସୁରକ୍ଷାକର୍ମୀ, ସୁପରଭାଇଜର ଓ ଆଟେଣ୍ଡାଣ୍ଟ ନିଯୁକ୍ତ କାର୍ଯ୍ୟ କରୁଛନ୍ତି। ଏହି ଠିକାସଂସ୍ଥା ଏବେ ନୂତନ ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାର କରି ନିଯୁକ୍ତି ଦିଆଯାଇଛି। ନିଯୁକ୍ତିରେ କାର୍ଯ୍ୟ କରୁଥିବା ପୁରାତନ କର୍ମଚାରୀଙ୍କୁ ପ୍ରାଧାନ୍ୟ ଦିଆଯାଇ ନ ଥିବାରୁ ଏଥିରେ ଅନିୟମିତତା ହୋଇଥିବା ପୁରାତନ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଏକ ଦାବିପତ୍ର ପ୍ରେରଣ କରିଥିବା କର୍ମଚାରୀ ରଘୁନାଥ ମାଝୀ କହିଛନ୍ତି।
ପୂର୍ବରୁ ନିଯୁକ୍ତି ନିମନ୍ତେ ଆନ୍ଦୋଳନ କରାଯାଇଥିଲା। ସେହି ସମୟରେ କୋରାପୁଟ ଜିଲା ପ୍ରଶାସନଠାରୁ ଆରମ୍ଭ କରି ମେଡିକାଲ କଲେଜ କର୍ତ୍ତୃପକ୍ଷ ନୂତନ ନିଯୁକ୍ତି ବାହାରିଲେ ପୁରାତନ କର୍ମଚାରୀମାନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଆଶ୍ବସନା ଦିଆଯାଇଥିଲା।
୫୭ ସଫେଇ କର୍ମଚାରୀ, ୮ ସୁପରଭାଇଜର, ୫୪ ସୁରକ୍ଷାକର୍ମୀ ଏବଂ ୨୮ ୱାର୍ଡ ଆଟେଣ୍ଡାଣ୍ଟ ପଦବୀ ନିମନ୍ତେ ବିଜ୍ଞାପନ ବାହାରିଥିଲା। ଠିକାସଂସ୍ଥା କର୍ତ୍ତୃପକ୍ଷ କୋରାପୁଟ ଆସି ନିଯୁକ୍ତି ପ୍ରକ୍ରିୟା ଶେଷ କରିଥିବା ବେଳେ କାର୍ଯ୍ୟ କରୁଥିବା ପୁରାତନ କର୍ମଚାରୀଙ୍କୁ ପ୍ରାଧାନ୍ୟ ଦେଇ ନ ଥିବା ଅଭିଯୋଗ ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟାକୁ ବାତିଲ କରି ପୁଣି ନୂତନ ନିଯୁକ୍ତି କରିବାକୁ ଦାବି କରାଯାଇଛି। ଯଦି ଦାବି ପୂରଣ ନ ହେଲେ ଆସନ୍ତା ୨୫ ତାରିଖରେ ପୁରାତନ କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ହସ୍ପିଟାଲ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।