ଧାନକିଣାରେ ଅବ୍ୟବସ୍ଥା

ଖଇରା, ୨।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ୧୪ଟି ସେବା ସମବାୟ ସମିତି ଅଧୀନରେ ଚାଷୀମାନଙ୍କଠାରୁ ଉତ୍ପାଦିତ ଶସ୍ୟ କିଣିବାରେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରଙ୍କ ଯୋଗାଣ ବିଭାଗ ଇସ୍ୟୁ କରିଥିବା ସମସ୍ତ ଟୋକନ ମୁତାବକ ଧାନ ନ କିଣିଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଳାଇବାକୁ ଚେତାବନୀ ଦେଇଛନ୍ତି। ଚାଷୀମାନଙ୍କର ଏଭଳି ପୁଞ୍ଜିଭୂତ ଅସନ୍ତୋଷ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।
ଧାନ ଟୋକନ ମୋବାଇଲ ମେସେଜ ଜରିଆରେ ଚାଷୀଙ୍କୁ ଅବଗତ କରାଯାଇଛି । ଛୋଟ ଚାଷୀଙ୍କ ନିକଟରୁ ଗୋଟିଏ ପର୍ଯ୍ୟାୟରେ ଏବଂ ବଡ ଚାଷୀଙ୍କ ନିକଟରୁ ୨ କିମ୍ବା ୩ ପର୍ଯ୍ୟାୟରେ ଧାନ କିଣିବାକୁ ମେସେଜ ଜରିଆରେ ଅବଗତ କରାଯାଇଛି। ହେଲେ ଏବେ ଗୋଟିଏ ଥର ଧାନ ବିକିବା ପରେ ଦ୍ୱିତୀୟ ଥର ଧାନ ବିକିବାକୁ ଚାହୁଁଥିବା ଚାଷୀଙ୍କ ନିକଟରୁ ଧାନ କିଣିବାକୁ ସମିତି ସମ୍ପାଦକମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି। ଜିଲା ଯୋଗାଣ ବିଭାଗ ତରଫରୁ ଏହା ଉପରେ କଟକଣା ଲଗାଯାଇଥିବା ନେଇ ସମ୍ପାଦକମାନେ କହୁଛନ୍ତି। ଗତଥର ୨ଥର ଧାନ କିଣିବା ଅଭିଯୋଗରେ ଜିଲାପାଳ କିଛି ସମ୍ପାଦକଙ୍କୁ ନିଲମ୍ବିତ କରିବା ଭୟରେ ଏଥରକ ସମ୍ପାଦକମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ୧୦ଥର ଭାବିବାକୁ ପଡୁଛି ବୋଲି କେତେଜଣ ସମ୍ପାଦକ ନାମ ଗୋପନ ରଖି କହିଛନ୍ତି। ଯୋଗାଣ ବିଭାଗର ରାଜ୍ୟ ସ୍ତରର ଅଧିକାରୀମାନେ ଟୋକନ ଇସ୍ୟୁ କରୁଥିବା ବେଳେ ଜିଲାସ୍ତରର ଅଧିକାରୀମାନେ କଟକଣା ଜାରି କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଜଣେ ଚାଷୀଙ୍କ ନିକଟରୁ ସର୍ବାଧିକ ୫୦କୁଇଣ୍ଟାଲ ଧାନ କିଣିବାକୁ ସମସ୍ତ ସମିତିକୁ ଜିଲା ପ୍ରଶାସନ ଚିଠି କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କେତେଜଣ ଚାଷୀଙ୍କ ନିକଟରୁ ଗୋଟିଏ ଥରରେ ୭୫ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ କିଣିବାକୁ ଅନୁମତି ପ୍ରଦାନ କରାଯାଇଥିବାରୁ ବହୁ ସମିତି ଅଧୀନରେ ଚାଷୀଙ୍କୁ ହଟହଟା ହେବାକୁ ପଡୁଛି। ବିଳମ୍ବିତ ବର୍ଷା ଯୋଗୁ ବହୁ ଚାଷୀ ଧାନ ଚାଷରୁ ବିରତ ରହିଥିବା ବେଳେ ଅନ୍ୟ କିଛି ପାଣି ଭଳି ସାରବିଷରେ ପଇସା ଖର୍ଚ୍ଚ କରିବା ପରେ ସମସ୍ତ ଅମଳ ଧାନ କିଣା ନ ଯିବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇପଡିଛି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟଙ୍କୁ ଯୋଗାଯୋଗ କରିବାରେ ସମସ୍ତଙ୍କ ନିକଟରୁ ଥରେ ଲେଖାଏଁ କିଣିବା ପରେ ସମ୍ପାଦକମାନେ ପରବର୍ତ୍ତୀ ଟୋକନରେ ଧାନ କିଣିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି।

Share