ଯାଜପୁର ଅଫିସ,୩ା୧: ଖଣି ନିଲାମ ପରେ ଭାଟ୍ ଆଦାୟ ବୃଦ୍ଧି ପାଇଛି। ୨୦୧୮-୧୯ରେ ୭୨୯୭.୬୮ କୋଟି, ୨୦୧୯-୨୦ରେ ୭୪୫୭.୫୮ କୋଟି ଏବଂ ୨୦୨୦-୨୧ ଅକ୍ଟୋବର ପର୍ଯ୍ୟନ୍ତ ୭,୭୫୭.୭୦ କୋଟି ଟଙ୍କା ଆଦାୟ ହୋଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି। ହେଲେ ବାସ୍ତବରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠି ଏବଂ ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟ (ଏନ୍ଏମ୍ଇଟି) ନିମନ୍ତେ ରାଜସ୍ବ ଆଦାୟ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି। ଖଣି ବିଭାଗ କର୍ତ୍ତୃପକ୍ଷ କେତେକ ଲିଜ୍ଧାରୀଙ୍କୁ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ ଏହା ଦର୍ଶାଯାଇଛି।
ଖଣି ଓ ଖଣିଜ ପଦାର୍ଥର ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇଛି। ଏହି ଆଇନର ସବସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଡିଏମ୍ଏଫ୍ ପାଣ୍ଠି ଗଠିତ ହୋଇଛି। ସେଥିରେ ଖଣିଖାଦାନ ଭରା ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଏହି ପାଣ୍ଠିକୁ ଲିଜଧାରୀ ରୟାଲଟିର ୩୦ ପ୍ରତିଶତ ପ୍ରଦାନ କରିବେ। କିନ୍ତୁ ଅଡିଟ ରିପୋର୍ଟରେ ଏନ୍ଏମ୍ଇଟି ଏବଂ ଡିଏମ୍ଏଫ୍ ପାଇଁ ୧୩.୨୮ କୋଟି ଟଙ୍କା କମ୍
ଆଦାୟ ହୋଇଛି।
ଏଥିରେ ଲଖନପୁର ଓପନକାଷ୍ଟ ପ୍ରୋଜେକ୍ଟ (ଓସିପି) ୧,୭୫,୪୯,୮୧୭.୯୧ ମେଟ୍ରିକ ଟନ କୋଇଲା ଉପତ୍ାଦନ କରିଥିବାବେଳେ ରୟାଲଟି ବାବଦକୁ ୨୧.୩୮ କୋଟି, ଡିଏମ୍ଏଫ୍କୁ ୬.୪୧ କୋଟି ଏବଂ ଏନ୍ଏମ୍ଇଟିକୁ ୦.୪୩ କୋଟି ସର୍ବମୋଟ ୨୮.୨୨ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଲଜକୁରା ଓସିପିରେ ୪୬,୨୫,୬୬୬.୪୬ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ୫.୬୩ କୋଟି ରୟାଲଟି, ୧.୬୯ କୋଟି ଡିଏମ୍ଏଫ୍ ଏବଂ ଏନ୍ଏମ୍ଇଟିକୁ ୦.୧୧ କୋଟି ମୋଟ ୭.୪୩ କୋଟି ଟଙ୍କା କ୍ଷତି ହୋଇଛି। ବେଲପାହାଡ଼ ଓସିପିରେ ୯,୨୦,୪୩୧.୯୯ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ରୟାଲଟି ବାବଦକୁ ୧.୧୨ କୋଟି, ଡିଏମ୍ଏଫ୍କୁ ୦.୩୪ କୋଟି ଓ ଏନ୍ଏମ୍ଇଟିକୁ ୦.୦୨ କୋଟିି ମୋଟ ୧.୪୮ କୋଟି ଟଙ୍କା କ୍ଷତି ହୋଇଛି। ସେହିପରି ସମଲେଶ୍ୱରୀ ଓସିପିରେ ୧,୦୯,୭୭,୩୪୮.୯୫ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ରୟାଲଟି ୧୩.୩୭ କୋଟି, ଡିଏମ୍ଏଫ୍କୁ ୪.୦୧ କୋଟି ଓ ଏନ୍ଏମ୍ଇଟିକୁ ୦.୨୭ କୋଟି ମୋଟ ୧୭.୬୫ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏହି ରୟାଲଟି କ୍ଷତି ଯୋଗୁ ମାଇନିଂ ଦ୍ୱାରା ପ୍ରଭାବିତ ଲୋକ ଓ ଅଞ୍ଚଳର ବିକାଶ ପ୍ରଭାବିତ ହୋଇଛି। ସେହିପରି ଖଣିଜ ଅନୁସନ୍ଧାନ ପାଇଁ ଉପଯୋଗ ହେଉଥିବା ଏନ୍ଏମ୍ଇଟି ପାଣ୍ଠି ମଧ୍ୟ ପ୍ରଭାବିତ ହୋଇଛି। ତେବେ ମେ ୨୦୨୦ରେ ଲିଜଧାରୀଙ୍କଠାରୁ ରୟାଲଟି, ଡିଏମ୍ଏଫ୍ ଓ ଏନ୍ଏମ୍ଇଟି ଅବଦାନ ପାଇଁ ଦାବି ଉପସ୍ଥାପନ କରାଯାଇଛି ବୋଲି ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସ (ଡିଡିଏମ୍) ଦର୍ଶାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସାଧାରଣତଃ ଖଣି କାର୍ଯ୍ୟ ହେଉଥିବା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ରହୁନାହିଁ ା ଅଧିକାଂଶ କାମ ମେଶିନ ସାହାଯ୍ୟରେ ହେଉଛି। ଏହାସହ ବାହାର ରାଜ୍ୟର ଠିକାସଂସ୍ଥା ନିୟୋଜିତ ଯୋଗୁ ସ୍ଥାନୀୟ ନିଯୁକ୍ତି ମଧ୍ୟ ପ୍ରଭାବିତ ହେଉଛି। କୌଣସି ବିକାଶମୂଳକ କାର୍ଯ୍ୟ ମଧ୍ୟ ହୋଇ ପାରୁ ନ ଥିବାରୁ ଉକ୍ତ ଅଞ୍ଚଳଗୁଡିକ ପଛୁଆ ହୋଇ ରହିଯାଇଛି। ଯାଜପୁର ଜିଲାର ଖଣି ଅଞ୍ଚଳ ସୁକିନ୍ଦାର ନଗଡ଼ା ଏହାର ଜ୍ୱଳନ୍ତ ଉଦାହରଣ ା ଏପରିକି ଖଣି ଖନନ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ଆବଶ୍ୟକ କ୍ଷତିପୂରଣ ମିଳୁନାହିଁ। ଖଣି ଖନନ କରୁଥିବା କମ୍ପାନୀର ଅଂଶଧନ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରିବା ଲାଗି ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଭାବେ ଢାଞ୍ଚାଗତ ସଂଗଠିତ ପ୍ରକ୍ରିୟାର ଆବଶ୍ୟକତା ରହିଛି। ଖଣି ଅଞ୍ଚଳର ସମ୍ପଦକୁ ବ୍ୟବହାର କରି ସେହି ଅଞ୍ଚଳର ଲୋକମାନଙ୍କ ବିକାଶ ଉପରେ ଡିଏମ୍ଏଫ୍ ପାଣ୍ଠି ବିନିଯୋଗ କରିବା କଥା। କିନ୍ତୁ ଡିଏମ୍ଏଫ୍ ପାଣ୍ଠି ପ୍ରତି ବିଭାଗୀୟ ଚରମ ଅବହେଳା ରିପୋର୍ଟରେ ଜଳଜଳ ହୋଇ ଦିଶୁଛି।