କେନାଲ କଂକ୍ରିଟ ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ

ଖଇରା, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରକୋଣା ନିକଟରେ ଆମ୍ବହତା କେନାଲ କଂକ୍ରିଟ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା କେନାଲ ସଂଲଗ୍ନ ମୁକ୍ତାବେଗୁନିଆ, ବିଦ୍ୟାଧରପୁର ଶାସନ, ସାରକୋଣା, କଡମିଆଁ, ଗଡ, କଅଁଳଖୁଣ୍ଟା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ବେଆଇନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
କେନାଲର ଭିତର କଂକ୍ରିଟ, ସଂଲଗ୍ନ ରାସ୍ତା ଓ ଏକ ପୋଲ ନିର୍ମାଣ ପାଇଁ ଆନୁମାନିକ ୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଭିତର କଂକ୍ରିଟର ଓସାର ୨୨ମିଟର, ଗୋଟିଏ ପାର୍ଶ୍ୱ ରାସ୍ତାର ଓସାର ୮ ମିଟର ଓ ଅନ୍ୟପାର୍ଶ୍ୱ ରାସ୍ତାର ଓସାର ୫ମିଟର ରଖାଯିବା କଥା ା ସେହିଭଳି ଢଳେଇ ଉଚ୍ଚତା ୪ ଇଞ୍ଚ ରଖାଯିବା କଥା। ହେଲେ ଠିକାଦାର ଏହାକୁ ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ କରାଯାଇଛି। ନିକଟରେ ସାରକୋଣା ପଞ୍ଚାୟତର ଯୁବନେତା ପ୍ରଦୀପ କୁମାର ସାହୁ ଏହି ବେଆଇନ କାର୍ଯ୍ୟକୁ ବନ୍ଦ ରଖିଥିଲେ। ହେଲେ କିଛି ଦିନ ବନ୍ଦ ରହିବା ପରେ ନିକଟରେ କାର୍ଯ୍ୟ ପୁଣି ଥରେ ଚାଲୁ ରହିଛି। ମଝିରେ ମଝିରେ ଗ୍ରାମବାସୀ ଏହି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଅଧିକାରୀଙ୍କୁ ଜଣାଇ ଆସୁଛନ୍ତି। ହେଲେ ଠିକାଦାର ସେମାନଙ୍କ କଥାକୁ ଭ୍ରୁକ୍ଷେପ କରୁ ନ ଥିବା ଗ୍ରାମବାସୀ କହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ କାର୍ଯ୍ୟ ସରିବାର ନିର୍ଦ୍ଧାରିତ ସମୟ ୨୦୨୦ରୁ ଶେଷ ହୋଇ ଯାଇଥିବା ବେଳେ ଏବେ କିଛି ଦିନ ତଳେ କାର୍ଯ୍ୟ ଆରମ୍ଭ ଜଳସେଚନ ବିଭାଗ ବିଦ୍ୟାଧରପୁର ଡିଭିଜନର ଅଧିକାରୀଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ନିମ୍ନମାନର କାର୍ଯ୍ୟ ପରେ ରାସ୍ତାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ରଙ୍କନିଧି ବେହେରାଙ୍କୁ ଯୋଗାଯୋଗ କରିବାରେ ଗ୍ରାମବାସୀଙ୍କ ସବୁ ଦାବିକୁ ବିଚାରକୁ ନିଆଯାଇ କେନାଲ କାର୍ଯ୍ୟ କରାଯାଉଥିବା କହିଛନ୍ତି।