ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ବଣ୍ଟନରେ ଅନିୟମିତତା

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ) : ସଦର ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମ ୱାର୍ଡ ନମ୍ବର ୩ ଓ ୪ର ଅଧିବାସୀମାନେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗପତ୍ର ଦେଇଛନ୍ତି। ୨୦୨୩-୨୪ ବର୍ଷର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମରେ ପଲ୍ଲୀସଭା ନ କରି ୨୦୨୧-୨୨ବର୍ଷର ତାଲିକାକୁ ଦର୍ଶାଯାଇ ୩୭ଜଣଙ୍କୁ ଗୃହ ଆବଣ୍ଟନ କରାଯାଇଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ବାସଗୃହ ପାଇବାରୁ ବଞ୍ଚିତ ହୋଇଛନ୍ତି। ସରକାରୀ ପେନସନ ପାଉଥିବା ପରିବାର, ୪ଚକିଆ ଯାନ ଥିବା ପରିବାର, ଛାତ ଘର ତଥା ସରକାରୀ ଚାକିରୀ କରିଥିବା ପରିବାର, ମାସିକ ଆୟ ୧୦ହଜାର ଟଙ୍କାରୁ ଅଧିକ ଥିବା ପରିବାର, ବିଜୁ ପକ୍କା ଘର ଥିବା ପରିବାର,ବାସଗୃହ ଉତ୍ତମ ଥିବା ପରିବାର ଆଦି ଧନିକ ପରିବାରକୁ ଘର ଆବଣ୍ଟନ କରି କାର୍ଯ୍ୟାଦେଶ ପତ୍ର ଓ ଅଗ୍ରିମ କିସ୍ତି ଟଙ୍କା ତାଙ୍କ ଜମା ଖତାକୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ନିୟମକୁ ହେୟଜ୍ଞାନ କରି ଧନୀ ଲୋକଙ୍କୁ ଘର ଦିଆଯାଇଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଡୁମୁରିଆ ଗ୍ରାମ ବ୍ୟତିତ ଅନ୍ୟ ଗ୍ରାମରେ ମଧ୍ୟ ଏଭଳି ଗୃହ ବଣ୍ଟନ କରାଯାଇଥିବା ଏବଂ ପଲ୍ଲୀସଭାକୁ ଡକାଯାଉ ନ ଥିବା ଗଙ୍ଗାଧାର ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ, ଚର୍ତୃଭୂଜ ମହାନ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି।