କାଁ ଭାଁଖୋଲୁଛି ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ

ଖଇରା, ୨୬।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରାଠାରେ ଥିବା ସାଳନ୍ଦୀ ଡିଭିଜନର ଉପଖଣ୍ଡ କାର୍ଯ୍ୟାଳୟ ମାସ ମାସ ଧରି ବନ୍ଦ ହୋଇ ରହୁଛି। ଯନ୍ତ୍ରୀମାନେ ସାଇଡ୍‌ରେ କାମ ତଦାରଖ କରୁଥିବା ଆଳରେ ଅଫିସ ମାଟି ମାଡୁନାହାନ୍ତି। ଫଳରେ ବିଭିନ୍ନ ସମସ୍ୟା ବା ଅଭିଯୋଗ ନେଇ ଆସୁଥିବା ଲୋକେ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି। ସମସ୍ତ ଚାଷୀ ଏ ସମ୍ପର୍କରେ ଜିଲାପାଳ ଏବଂ ମୁଖ୍ୟଯନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିବାକୁ ଚେତାବନୀ ଦେଇଛନ୍ତି।
ଖଇରା ଉପଖଣ୍ଡରେ ଚାଲୁଥିବା କାର୍ଯ୍ୟର ତଦାରଖ ତଥା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୧୯୬୦ରେ ଏଠାରେ ଏକ କାର୍ଯ୍ୟାଳୟ ଖୋଲା ଯାଇଥିଲା। ପୂର୍ବରୁ ମାସରେ ୧୫ଦିନ ଏହି କାର୍ଯ୍ୟାଳୟ ଖୋଲୁଥିଲେ ମଧ୍ୟ ଏବେ ସଦୁଦିନ ପ୍ରାୟ ବନ୍ଦ ରହୁଥିବା ନେଇ କାର୍ଯ୍ୟାଳୟ ସଂଲଗ୍ନ ଆଳଦା ଗ୍ରାମର ଅଧିବାସୀମାନେ କହିଛନ୍ତି। ବିଶେଷ ଭାବେ ସ୍ବାଧୀନତା ଓ ସାଧାରଣତନ୍ତ୍ର ଦିବସ କିମ୍ବା ଉପରିସ୍ଥ ଅଧିକାରୀ ଏବଂ ନେତାମାନେ ଆସିଲେ ଜଣେ ଅଧେ ଅଧିକାରୀ ଯୋଗ ଦେଉଥିଲେ ହେଁ ଅନ୍ୟଦିନେ ଯନ୍ତ୍ରୀଙ୍କର ଦର୍ଶନ ମିଳୁନି। ପିଅନ ଝାଡୁମାରି ଚାଲିଯିବା ପରେ ଦିନତମାମ କାର୍ଯ୍ୟାଳୟ ବନ୍ଦ ରହୁଥିବା ଅଭିଯୋଗ ହୋଇଛି। ନିକଟରେ ସାଳନ୍ଦୀ ଡିଭିଜନ ଅଧୀନରେ ଆମ୍ବହତା, ବରଦା, ଚରମ୍ପା ଆଦି କେନାଲରେ ଚାଲିଥିବା କାମର ଅନିୟମିତତା ବାବଦରେ ଅଭିଯୋଗ ଦେବାକୁ ବିଭିନ୍ନ ଗ୍ରାମର ଅଧିବାସୀ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ କାର୍ଯ୍ୟାଳୟ ବନ୍ଦ ଥିବା ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏ ସଂକ୍ରାନ୍ତରେ ସହକାରୀ ନିର୍ବାହୀଯନ୍ତ୍ରୀ ଦଶରଥ ମୁର୍ମୁଙ୍କ ସହ ଯୋଗାଯୋଗ କରିବାରେ ସେ ଅଧିକାଂଶ ସମୟ ସାଇଡ୍‌ରେ କାର୍ଯ୍ୟ ତଦାରଖ କରିବା ସହ ଅନ୍ୟ କିଛି ଦିନ ଭଦ୍ରକ ଡିଭିଜନ କାର୍ଯ୍ୟାଳୟରେ ରହୁଥିବାରୁ ଖଇରା ଆସିପାରୁ ନାହାନ୍ତି। ତେବେ ୩ଜଣ କନିଷ୍ଠଯନ୍ତ୍ରୀଙ୍କୁ ଆସିବାକୁ କୁହାଯାଇଥିଲେ ହେଁ ସେମାନେ କାହିଁକି ଅନୁପସ୍ଥିତ ରହୁଛନ୍ତି ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ା