Advertisement

ପୋଲିସ କର୍ମଚାରୀଙ୍କ ଦାୟିତ୍ୱହୀନତା: ନାବାଳିକା ଅପହରଣ ଅଭିଯୁକ୍ତ ଫେରାର

ଦେବଗଡ଼,୨୫।୯(ଶଶାଙ୍କ ଶେଖର ଝାଙ୍କର ): ପୋଲିସ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ଜଣେ ନାବାଳିକା ଅପହରଣ ଅଭିଯୁକ୍ତ ଦେବଗଡ ସ୍ବତନ୍ତ୍ର ଉପକାରାଗାର ସମ୍ମୂଖରୁ ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ୧୭ ବର୍ଷୀୟା ଝିଅକୁ କୁଣ୍ଢେଇଗୋଳା ଥାନାଂଚଳ ଆଉଁଳି ଗ୍ରାମର ସୁମନ ବେହେରା(୨୨) ନାମକ ଜଣେ ଯୁବକ ଅପହରଣ କରିନେଇଥିବା ଗତ ୯ ତାରିଖ ଦିନ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୋଲିସ ଆଇପିସିର ଧାରା ୩୬୩ /୩୬୬ ଦଫାରେ ଏକ ମାମଲା ଋଜୁ କରି ଘଟଣାର ତଦନ୍ତ କରୁଥିଲା। ଅଭିଯୁକ୍ତ ସୁମନ ବେହେରାଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିଲା ମାତ୍ର କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ଦେବଗଡସ୍ଥିତ ସ୍ବତନ୍ତ୍ର ଉପକାରାଗାରକୁ ପଠାଯାଉଥିଲା। ମାତ୍ର ଦେବଗଡ ସ୍ଥିତ ସ୍ବତନ୍ତ୍ର ଉପକାରାଗାର ସମ୍ମୂଖରେ ପହଂଚିବା ପରେ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ୱହୀନତାର ସୁଯୋଗ ନେଇ ଅଭିଯୁକ୍ତ ସୁମନ ସେଠାରୁ କୌଶଳ କ୍ରମେ ଫେରାର ହୋଇଯାଇଥିଲା। ଏନେଇ ଦାୟିତ୍ୱରେ ଥିବା କନଷ୍ଟେବଳ ନରୋତମ ପ୍ରଧାନ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଅଭିଯୁକ୍ତ ବିରୋଧରେ ଦଫା-୩୫୩,୩୨୩ ଓ ୬୩୧ ଆଇପିସିରେ ଏକ ମାମଲା ରୁଜୁ କରିବାସହ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel