ପାରଳାଖେମୁଣ୍ଡି,୨୫ା୧୨(ଡି.ଏନ୍.ଏ.): ଗଜପତି ଜିଲାରେ ଉଠା ଜଳସେଚନ ବିଭାଗର ବେପରୁଆ ପଣର ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବା ବେଳେ ଏହାର ନମୂନା ଗୋଷାଣୀ ବ୍ଲକ ଜଙ୍ଗଲପାଡୁ ଗ୍ରାମଠାରେ ମଧ୍ୟ ଦେଖିବାକୁ ମିଳିଛି। ଚାଷୀ ତଥା ଗ୍ରାମବାସୀଙ୍କ କହିବା ମୁତାବକ ଚାଷ ଜମିରେ ଜଳ ଯୋଗାଣର ସୁବିଧା ପାଇଁ ବହୁ ଦାବି ପ୍ରତିବାଦ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଉଠା ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୬ବର୍ଷ ପୂର୍ବେ ଗ୍ରାମ ନିକଟସ୍ଥ କେନାଲ ବା ଚେକଡ୍ୟାମ ତଟରେ ଲକ୍ଷାଧିକ ଟଙ୍କା ବ୍ୟୟ ବହୁଳରେ ଏକ ଏଲଆଇ ପଏଣ୍ଟ ସ୍ଥାପନ କରାଯାଇଥିଲା। ଚାଷୀଙ୍କ ମହତ୍ୱ ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିବା ଏହି ପଏଣ୍ଟ ସ୍ଥାପିତ ହେବାର କିଛି ଦିନ ଧରି କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଏହା ଆଉ କାମ ଦେଇନଥିଲା। ବିଭାଗୀୟ ଅଧିକାରୀମାନେ ଆଉ ଏହାର ରକ୍ଷଣାବେକ୍ଷଣ ନକରି ଲୋକବାକ୍ୟ ପରି ଏହାକୁ ସେମିତି ଛାଡି ଦେଲେ। ଏହି ଏଲଆଇ ପଏଣ୍ଟ ନିମନ୍ତେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମଧ୍ୟ ସ୍ଥାପନ ହୋଇଥିଲା। ହେଲେ ଏ ସବୁ ଏବେ ଖତ ଖାଉଛି। ଏଲଆଇ ପଏଣ୍ଟ ପାଇଁ ସ୍ଥାପିତ ମୋଟର ଓ କୋଠା ଗୃହ ଧସି ଯାଇ ଢଳି ହେବାରେ ଲାଗିଥିବା ବେଳେ ଟ୍ରାନ୍ସଫର୍ମର ମଧ୍ୟ ଢଳି ହୋଇ ରହିଛି। ଏହାର ଆଖପାଖ ଅଞ୍ଚଳରେ ବନାଞ୍ଚଳ ସୃଷ୍ଟି ହୋଇଛି। ଦୂରରୁ ଏହା ଏବେ ଆଉ ଦେଖାଯାଉ ନାହିଁ । ଚାଷୀଙ୍କ ଉପଯୋଗରେ ଆସିବ ବୋଲି ଲକ୍ଷ ଲକ୍ଷ ଟଙ୍କା ସରକାର ରାଜକୋଷରୁ ଖର୍ଚ୍ଚ କରାଯାଇ ସ୍ଥାପନ ହେଲେ ମଧ୍ୟ ଏହା ଏବେ ଖତ ଖାଇବାପାଇଁ ଛାଡି ଦିଆଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଗ୍ରାମର ଚାଷୀମାନେ ଜଣାଇଛନ୍ତି ଯେ, ଏ ନେଇ ବାରମ୍ବାର ଉଠା ଜଳସେଚନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଏପରି ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ନଷ୍ଟ କରିଥିବାର ଭରଣା ତତ୍କାଳୀନ ଯନ୍ତ୍ରୀ ତଥା କର୍ତ୍ତୃପକ୍ଷଙ୍କଠାରୁ ଆଦାୟ କରିଲେ ଏପରି ଘଟଣା ଗୁଡିକର ପୁନରାବୃତ୍ତି ଆଉ ଘଟିବନି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି। ଅନ୍ୟପଟେ ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନରେ ଏଲଆଇ ପଏଣ୍ଟ ସ୍ଥାପନ ପାଇଁ ଦାବି ହେଉଛି, ରାସ୍ତାରୋକୋ ହେଉଛି । ହେଲେ ବିଭାଗୀୟ ଅଧିକାରୀମାନେ ନଶୁଣିବା ଯୋଗୁ ଚାଷୀଙ୍କ ଦାବିପୁରଣ ହୋଇପାରିନି ବୋଲି ଆଲୋଚନା ହେଉଛି।