ଇଂ. ଶକ୍ତି ପ୍ରସାଦ ଦାସ
ନିକଟରେ କେନ୍ଦ୍ର ସରକାରଙ୍କ କୃଷି ଉତ୍ପାଦନ କିଣାବିକା ପାଇଁ ଆଣିଥିବା ତିନୋଟି ପ୍ରମୁଖ ଆଇନ ଭାରତର କୃଷି କ୍ଷେତ୍ରରେ କ୍ଷୁଦ୍ର ଚାଷୀମାନଙ୍କୁ ପ୍ରଭାବିତ କରିବାକୁ ଯାଉଛି। ମୂଲ୍ୟ ନିଶ୍ଚିତତା ଓ କୃଷି ସେବା ଅଧ୍ୟାଦେଶ, ୨୦୨୦ ଅନ୍ତର୍ଗତ କୃଷକ(ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତିନାମା ଦେଶରେ ଚୁକ୍ତିଭିତ୍ତିକ ଚାଷକୁ ସହାୟକ ହେବ ବୋଲି ଆଶା କରାଯାଉଛି। ଉପରୋକ୍ତ ଅଧ୍ୟାଦେଶକୁ ଅନୁସରଣ କରି ରାଜ୍ୟ ସରକାର ଓଡ଼ିଶା କୃଷି ଉତ୍ପାଦନ ଓ ପଶୁପାଳନ ଚୁକ୍ତିଭିତ୍ତିକ ଚାଷ ଏବଂ ସେବା (ପ୍ରୋତ୍ସାହନ ଓ ସୁବିଧା) ଅଧ୍ୟାଦେଶ, ୨୦୨୦ ଆଣିଛନ୍ତି।
ଓଡ଼ିଶାର କୃଷିରେ ଆଜି ସବୁଠାରୁ ବଡ ସମସ୍ୟା ହେଉଛି ଛୋଟ ଛୋଟ ଭୂ-ଧାରକ। ଉପଲବ୍ଧ କୃଷି ଜନଗଣନା(୨୦୧୫-୧୬) ଅନୁଯାୟୀ ଓଡ଼ିଶାରେ ଚାଷୀ ପ୍ରତି ହାରାହାରି ଜମିର ପରିମାଣ ୦.୯୫ ହେକ୍ଟର ଥିଲାବେଳେ ଦେଶର ଏହି ହାର ୧.୦୮ ହେକ୍ଟର ଥିଲା। ସେହିପରି ଓଡିଶାରେ ଦୁଇ ହେକ୍ଟରରୁ କମ ଜମି ଥିବା ଭୂ-ଧାରକଙ୍କ ପ୍ରତିଶତ ୯୨.୯୭ ଥିବାବେଳେ ଏହି ପ୍ରତିଶତ ୮୬.୦୭ ଥିଲା। ଛୋଟ ଚାଷୀର ସ୍ବଳ୍ପ ପୁଞ୍ଜି ତାକୁ ଫସଲ, ମଞ୍ଜି, ଜଳ ଓ ସାର ଇତ୍ୟାଦି ସହିତ ପରୀକ୍ଷା-ନିରୀକ୍ଷା କରି ଆୟ ବୃଦ୍ଧି କରିବାକୁ ଉତ୍ସାହିତ କରୁଛି।
ଅମଳ ପରବର୍ତ୍ତୀ ମୂଲ୍ୟଯୁକ୍ତ ଉତ୍ପାଦନରେ ଆମ ରାଜ୍ୟର ପାରଦର୍ଶିତା ଭଲ ନୁହେଁ। ଶୀତଳ ଭଣ୍ଡାର ଶୃଙ୍ଖଳା, ଗୋଦାମ ଘର, ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦିରେ ବିନିଯୋଗ ଅପେକ୍ଷାକୃତ କମ୍ ରହିଛି। ବଜାର ଦରରେ ଅନିଶ୍ଚିତତା ଚାଷୀକୁ ନିରୁତ୍ସାହିତ କରୁଛି। ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ମୁଖ୍ୟତଃ ଖାଦ୍ୟ ଜାତୀୟ ଫସଲ ଯେପରି କି ଗହମ ଓ ଧାନ ଇତ୍ୟାଦି ପାଇଁ ସହଜରେ ଉପଲବ୍ଧ ହେଉଥିବାରୁ ଚାଷୀ ଫସଲରେ ବିବିଧକରଣ ପାଇଁ ଉତ୍ସାହିତ ହେଉନାହିଁ।
ଚୁକ୍ତିଭିତ୍ତିକ ଚାଷ ବ୍ୟବସ୍ଥାରେ କ୍ରେତା ଆବଶ୍ୟକ କରୁଥିବା ନିର୍ଦ୍ଦିଷ୍ଟ ଫସଲ ଚାଷୀ ତା’ର ଜମିରେ ଉପୁଯାଇବ। ପୂର୍ବ ସ୍ଥିରୀକୃତ ମୂଲ୍ୟ ତଥା ପରିମାଣରେ ଉତ୍ପାଦକୁ ଉଦ୍ୟୋଗୀକୁ ବିକ୍ରୟ କରିବ। ଉଦ୍ୟୋଗୀ ଚାଷ ପାଇଁ ଆବଶ୍ୟକ ଇନପୁଟ ଯୋଗାଇ ଦେବାବେଳେ, ଚାଷୀ ଜମି ଓ ଶ୍ରମ ଯୋଗାଇବ। ଏ ସମସ୍ତ କାର୍ଯ୍ୟକ୍ରମ ଉତ୍ପାଦକ ଓ କ୍ରେତା ମଧ୍ୟରେ ଏକ ପୂର୍ବ ସହମତ ଚୁକ୍ତିନାମା ବଳରେ କାର୍ଯ୍ୟକାରୀ କରାଯିବ।
ଗୋଟିଏ କ୍ରୟକାରୀ ସଂସ୍ଥା ହଜାର ହଜାର କ୍ଷୁଦ୍ରଚାଷୀଙ୍କ ସହ ଚୁକ୍ତି କରି ଚାଷକୁ ବହୁଗୁଣିତ କରିପାରିବ। କୃଷି-ନୀତି ଦୃଷ୍ଟିରୁ ଏହା ରାଜ୍ୟର ସବୁଠୁ ବଡ ଆହ୍ବାନର ସମାଧାନ କରିପାରିବ। ଉଦ୍ୟୋଗୀମାନେ ତାଙ୍କର ବ୍ୟବସାୟିକ ଉତ୍ପାଦ ପାଇଁ ଆବଶ୍ୟକ କଞ୍ଚାମାଲର ପରିମାଣ ଓ ଗୁଣବତ୍ତା ଉପରେ ବେଶ୍ ସଚେତନ। ତେଣୁ ବିହନଠାରୁ ଅମଳ ପର୍ଯ୍ୟନ୍ତ ଉତ୍ପାଦନର ପ୍ରତ୍ୟେକ ଦିଗରେ ଅନୁସନ୍ଧାନ ଓ ବିକାଶ ବାବଦରେ ଯଥେଷ୍ଟ ଖର୍ଚ୍ଚ କରିବାକୁ ସେମାନେ ଆଗଭର ହେବେ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଞ୍ଜାବ ଭଳି ରାଜ୍ୟରେ ‘ହିନ୍ଦୁସ୍ତାନ ଲିଭର’, ‘ନେସ୍ଲେ ଇଣ୍ଡିଆ’ ଓ ‘ଟିନା ଅଏଲ୍ସ ଆଣ୍ଡ କେମିକାଲ୍ସ’ ଇତ୍ୟାଦି କିଛି ଉଦ୍ୟୋଗୀ କୃଷକମାନଙ୍କୁ ଉତ୍ତମ ବିହନ ଯୋଗାଇବାଠାରୁ ଆରମ୍ଭ କରି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ବିଷୟରେ ତାଲିମ ଦେଉଛନ୍ତି। ଏହା ଉତ୍ପାଦର ଗୁଣବତ୍ତା ସହିତ ଉତ୍ପାଦକତା ବୃଦ୍ଧି କରିବାରେ ସହାୟକ ହେଉଛି। ଚାଷୀର ଉତ୍ପାଦ ପାଇଁ ଉଭୟ ପଶ୍ଚାଦବର୍ତ୍ତୀ କଡି(ବ୍ୟାକୱାର୍ଡ ଲିଙ୍କେଜ) ଓ ସମ୍ମୁଖ କଡି( ଫରୱାର୍ଡ ଲିଙ୍କେଜ) ସୃଷ୍ଟି କରିବାରେ ସହଯୋଗ କରୁଛନ୍ତି। କହିବାକୁ ଗଲେ, ଶିଳ୍ପାୟନରେ ଚୁକ୍ତିଭିତ୍ତିକ ଚାଷ ଏହିସବୁ ରାଜ୍ୟ ପାଇଁ ବେଶ୍ ସହାୟକ ହୋଇଛି ଓ କୃଷି ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅନେକ ନିଯୁକ୍ତି ସୃଷ୍ଟି କରିଛି। ଉଦ୍ୟୋଗୀମାନେ ଦେଶୀୟ ତଥା ବିଦେଶୀ ବଜାରରେ ଉତ୍ପାଦର ଚାହିଦାକୁ ଅନୁସରଣ କରି କେଉଁ ଫସଲ ଚାଷ କଲେ ଲାଭଦାୟକ ହେବ ସେ ବିଷୟରେ ଠିକ ଧାରଣା ଦେଇପାରୁଛନ୍ତି।
ଆମ ରାଜ୍ୟର କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ସହିତ ଭାଗଚାଷୀ, ଆଦିବାସୀ ଚାଷୀ, ଜଙ୍ଗଲଭିତ୍ତିକ ଚାଷୀ, ପାରମ୍ପରିକ ଦୁଗ୍ଧଚାଷୀ, ପଶୁପାଳନକାରୀ ଓ ମତ୍ସ୍ୟଜୀବୀ, ଚାଷ ଓ ପଶୁପାଳନ ବେଉସା କରି ଜୀବିକା ନିର୍ବାହ କରୁଛନ୍ତି। ଏମାନେ ମୁଖ୍ୟତଃ ଜୀବନ ନିର୍ବାହ ପାଇଁ ଚାଷ କରନ୍ତି। ବଳକା ଅଂଶକୁ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରନ୍ତି। ବ୍ୟବସାୟିକ ଭିତ୍ତିରେ ଚାଷ ରାଜ୍ୟରେ ଏବେ ବି ଜନପ୍ରିୟ ହୋଇନାହିଁ।
ଏହା ପଛରେ ଜଳସେଚନ, ଶୀତଳ ଭଣ୍ଡାର, ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ପରି କିଛି ଢାଞ୍ଚାଗତ ସମସ୍ୟା ରହିଛି। ରାଜ୍ୟରେ କେବଳ ୩୦ରୁ ୪୦ ପ୍ରତିଶତ ଜମିରେ ଜଳସେଚନର ସୁବିଧା ଅଛି। ଅଧିକାଂଶ ଚାଷୀ ବର୍ଷା ଜଳ ଉପରେ ନିର୍ଭରଶୀଳ। ଜଳସେଚନର ଅଭାବରୁ ରାଜ୍ୟରେ ବହୁଫସଲି କଷ୍ଟକର।
ଚୁକ୍ତିଭିତ୍ତିକ ଚାଷ କେବଳ ସଂରକ୍ଷଣ ଓ ପ୍ରକ୍ରିୟାକରଣକୁ ଛାଡିଦେଲେ, ଜଳସେଚନ ପରି ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବାକୁ ଯାଉ ନାହିଁ। ତେଣୁ ବୃହତ୍ ଆକାରରେ ଚୁକ୍ତିଭିତ୍ତିକ ଚାଷ ପାଇଁ ଆଗେଇବାବେଳେ ରାଜ୍ୟରେ ଉପଲବ୍ଧ ଜଳସେଚନ ପ୍ରଣାଳୀଗୁଡିକର ବ୍ୟବହାର କଥା ବିଚାର କରିବାକୁ ହେବ। କ୍ଷୁଦ୍ର ଉଠାଜଳସେଚନ ଆୟାକଟଗୁଡିକୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇପାରେ। କାରଣ ଏହି ପ୍ରଣାଳୀରେ ଚାଷୀ ବର୍ଷକୁ ବାରମାସ ଜଳସେଚନର ସୁବିଧା ଉଠାଇପାରିବ। ଓଡ଼ିଶା ଜଳସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ, ଓଡ଼ିଶା ଉଠାଜଳସେଚନ ନିଗମ(ଓଏଲଆଇସି) ଅଧୀନରେ ରାଜ୍ୟର ୩୦ଟି ଜିଲାରେ ପ୍ରାୟ ୫.୨୬ଲକ୍ଷ ହେକ୍ଟର ଜଳସେଚିତ ଜମି ସହ ୨୪ହଜାର ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଚଳକ୍ଷମ ଅବସ୍ଥାରେ ରହିଛି(ମାର୍ଚ୍ଚ ୨୦୧୯)। ଏହା ବ୍ୟତୀତ ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେଶନ(ଓଏଆଇସି)ର ସହସ୍ରାଧିକ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ରହିଛି। ଏଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଜଳ ବ୍ୟବହାରକାରୀ ସଂଘ ବା ‘ପାଣିପଞ୍ଚାୟତ’ ଦ୍ୱାରା କରାଯାଉଛି।
ପାଣିପଞ୍ଚାୟତ ଦ୍ୱାରା ଏହି ପ୍ରକଳ୍ପଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣର ମାନ ସେପରି ଉତ୍ସାହଜନକ ନୁହେଁ। ଏହି ଯୋଜନାଗୁଡିକର ମୂଲ୍ୟାଙ୍କନ ପାଇଁ ରାଜ୍ୟ ଅର୍ଥ ବିଭାଗର ଏକ ଅଧ୍ୟୟନରୁ ଜଣାଯାଏ ଯେ, ପ୍ରାୟ ୨୭ ପ୍ରତିଶତ ହିତାଧିକାରୀ ଚାଷୀ ଜଳସେଚନରୁ ବଞ୍ଚିତ ହେଉଛନ୍ତି। ପାଣିପଞ୍ଚାୟତଗୁଡିକ ପ୍ରକଳ୍ପର ମରାମତି କରିବାକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ ନ ଥିବାରୁ, ଏହି କାର୍ଯ୍ୟକୁ ସରକାର ହାତକୁ ନେବାପାଇଁ ପରାମର୍ଶ ଦିଆଯାଇଛି। ସରକାର ମଧ୍ୟ ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ଅନେକ ଅଚଳ ପ୍ରକଳ୍ପକୁ ପୁନରୁଦ୍ଧାର କରୁଛନ୍ତି। କିନ୍ତୁ ଭାଗୀଦାରି ଜଳସେଚନ ପରିଚାଳନାର ମୂଳ ଉଦ୍ଦେଶ୍ୟକୁ ଏହା ବିରୁଦ୍ଧାଚରଣ କରୁଛି। ଏହି ପାରସ୍ପରିକ ବିରୋଧାଭାସ କାରଣକୁ ଅନୁଶୀଳନ କଲେ ଜଣାଯାଏ ଯେ, ସାର୍ବଜନୀନ ଅର୍ଥରେ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରାଯାଇଥିଲେ ମଧ୍ୟ ଚାଷୀକୁଳ ବିଭିନ୍ନ କାରଣରୁ ଏହି ସାମର୍ଥ୍ୟର ଭରପୂର ଲାଭ ଉଠାଇବାରେ ସକ୍ଷମ ହୋଇ ନାହାନ୍ତି।
ଜଳସେଚନର ଭିତ୍ତିଭୂମିି ସବୁକୁ ପରିଚାଳନା କରିବା ପାଇଁ ନିକାୟ(ପାଣିପଞ୍ଚାୟତ) ଉପଲବ୍ଧ। ଏସବୁର ଦକ୍ଷତାକୁ ସଦୁପଯୋଗ କରି ଚୁକ୍ତିଭିତ୍ତିକ ଚାଷ ଜରିଆରେ ଅର୍ଥକରୀ ଫସଲ ଉତ୍ପାଦନ ଓ ବିକ୍ରୟ କରାଯାଇ ପାରିଲେ ଚାଷୀ ସହିତ ବ୍ୟବହାରକାରୀ ସଂଘଗୁଡିକ ଆର୍ଥିକ ଓ ସାଙ୍ଗଠନିକ ଦୃଷ୍ଟିରୁ ସଶକ୍ତ ହୋଇପାରନ୍ତେ। ପ୍ରକାରାନ୍ତରେ କ୍ଷୁଦ୍ରଚାଷୀଙ୍କୁ ଉଦ୍ୟୋଗୀଙ୍କ ସହିତ ଯୋଡିବାରେ ଏହି ପାଣିପଞ୍ଚାୟତଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ପାରନ୍ତେ। ଉଦ୍ୟୋଗୀମାନଙ୍କ ପାଇଁ ଏହି ପାଣିପଞ୍ଚାୟତଗୁଡିକ ବ୍ୟାକୱାର୍ଡ ଲିଙ୍କେଜ ହିସାବରେ ସହଯୋଗ କରିପାରିବେ। ସଂକ୍ଷେପରେ କହିବାକୁ ଗଲେ ଓଡିଶାରେ ଚୁକ୍ତିଭିତ୍ତିକ ଚାଷରେ ସଫଳତାର ପାହାଚ ଉଠିବା ପାଇଁ ଉଠାଜଳସେଚନ ପ୍ରଣାଳୀର ଚାଷୀ, ପାଣିପଞ୍ଚାୟତ ଓ କୃଷି ଉଦ୍ୟୋଗୀଙ୍କ ସମନ୍ବିତ ଆଭିମୁଖ୍ୟ ଆଗକୁ ବାଟ କଢାଇ ନେବ।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର
ମୋ:୯୪୩୭୧୬୪୬୧୧