ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉନି ଉଠାଜଳସେଚନ ପ୍ରକଳ୍ପ

କାଶୀନଗର,୧୬।୧୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ଓ ଏନ୍‌ଏସିର ଚାଷ ଜମିକୁ ଜଳସେଚନ ପାଇଁ ୨୦୧୯ରେ ବଥବା ଠାରେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପରେ କାମ ଆରମ୍ଭ ହେଲା। ୨କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ପାଇଁ ପାଇପ ଲାଇନ୍‌ ବିଛାଯିବାବେଳେ ଅଞ୍ଚଳର ଚାଷୀ ଭାବିଥିଲେ ତାଙ୍କ ଜମିକୁ ଜଳସେଚନ ବ୍ୟବସ୍ଥାରେ ସୁଧାର ଆସିବ। କିନ୍ତୁ ଅଲଦା ଓ ଶିଆଳି ପଞ୍ଚାୟତରେ ପାଇପ ଲାଇନ୍‌ ବିଛା ନ ଯିବାରୁ ୨ ପଞ୍ଚାୟତର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଯାଇ ସେମାନେ ଦାବିପତ୍ର ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇଛି। ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ପକ୍ଷରୁ ପ୍ରକଳ୍ପ ସମ୍ପୂର୍ଣ ହୋଇଯାଇଥିବା କୁହାଯାଉଥିବାବେଳେ ଜମିରେ ଏ ପର୍ଯ୍ୟନ୍ତ ପାଣି ପହଞ୍ଚୁନାହିଁ। ମୋଟ ୬୧ ଗୋଟି ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ, ମାତ୍ର ୬ଟି ପଏଣ୍ଟ କାର୍ଯ୍ୟକ୍ଷମ ହୋଇଥିବା ଚାଷୀମାନେ କହିଛନ୍ତି।
ଜୁନ୍‌ ମାସରେ ଖୁରିଙ୍ଗା ଗ୍ରାମଠାରେ ଚାଷୀ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ସେଠାକୁ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କାରାଯାଇଥିଲା। ଚାଷୀମାନଙ୍କ ଅଭିଯୋଗର ଉତ୍ତରରେ ସେ କହିଥିଲେ, ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟ ଅଳ୍ପଦିନରେ ଶେଷ ହେବ। କିନ୍ତୁ ଏଯାଏ କୌଣସି ଅଗ୍ରଗତି ହୋଇନାହିଁ। ପ୍ରକଳ୍ପର ଏପରି ଅବସ୍ଥା ନେଇ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଦରଖାସ୍ତ ମଧ୍ୟ ଦେଇଥିଲେ। ମହାରାଜା ଗଜପତିଙ୍କ ଦ୍ୱାରା ଖନନ କରାଯାଇଥିବା କାଶୀନଗର ବ୍ଲକ ଓ ଏନ୍‌ଏସିର ସବୁ ଜଳାଶୟକୁ ଏହି ପ୍ରକଳ୍ପ ଦ୍ୱାରା ଜଳପୂର୍ଣ କରାଯିବାକୁ ଦାବି କରିଥିଲେ। ଏ ସମ୍ପର୍କରେ ଯାଞ୍ଚ କାରିବାକୁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ତରଫରୁ ବୃହଦ୍‌ ଉଠା ଜଳସେଚନ ପ୍ରକଳ୍ପର ପିଡି ଓ ସିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ। ପ୍ରକଳ୍ପର ବିଫଳତାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବାବେଳେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।