ବିଚିତ୍ର ବିଶ୍ୱାଳ
ମଣିପୁର ହିଂସାରେ ପ୍ରତିଦିନ ଲୋକ ମରୁଛନ୍ତି। ଗତ ଦୁଇମାସରୁ ଊର୍ଦ୍ଧ୍ୱହେବ ମଣିପୁର ଜଳୁଛି। ସ୍ବାଧୀନତା ପରେ ଅଶୀ ଦଶକରେ ହୋଇଥିବା ହିନ୍ଦୁ-ଶିଖ୍ ଦଙ୍ଗା ପରେ ସଂପ୍ରତି ମଣିପୁରର ଦଙ୍ଗା ଦେଶ ଭିତରେ ସବୁଠୁ ବଡ଼ ହିଂସା ଘଟଣା। ସେଠାକାର ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ସୀମା ଟପିଯାଇଛି। ହିଂସାକାରୀମାନେ ଆମ୍ବୁଲାନ୍ସକୁ ମଧ୍ୟ ଜାଳି ଦେଉଥିବାର ଖବର ମିଳୁଛି। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଘର ମଧ୍ୟ ନିଆଁର ଶିକାର ହୋଇଛି। ତା’ହେଲେ ପ୍ରଶ୍ନଉଠୁଛି, ଆମ ଦେଶରେ ସରକାର ଅଛି ତ? ମଣିପୁର ଭାରତର ଅଂଶ ତ? ମଣିପୁର ହିଂସାକୁ ଶାନ୍ତ କରିବା ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ନେଉଛନ୍ତି କି?
ମଣିପୁର ହିଂସା ପ୍ରତି ସରକାର ଠିକ୍ ଟିଭି ବନ୍ଦ କରିଦେବା ପରି ବ୍ୟବହାର ଦେଖାଉଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହଁି। ସବୁବେଳେ ଭାଷଣ ଦେବା ପାଇଁ ଓ ମନ୍କୀ ବାତ୍ ମାଧ୍ୟମରେ ଲୋକଙ୍କୁ ଉପଦେଶ ଦେବା ଲାଗି ଭଲ ପାଉଥିବା ଆମ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ମଣିପୁର ବିଷୟରେ ପଦୁଟିଏ ବି କହିଥିବାର ଶୁଣାଯାଇନାହଁି। ଗୃହମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ଥରେ ଅଧେ ମଣିପୁର ଯାଇ ନିଜ ଦାୟିତ୍ୱ ସାରିଦେଇଛନ୍ତି। ଦୁର୍ଭାଗ୍ୟର ବିଷୟ , ଗୃହମନ୍ତ୍ରୀଙ୍କ ମଣିପୁରଗ୍ରସ୍ତ ପରେ ହିଂସା ଆହୁରି ବଢ଼ିଛି। କେନ୍ଦ୍ର ସରକାରଙ୍କ ମଣିପୁର ପ୍ରତି ଏପରି ସାବତ ପୁଅ ମନୋଭାବ କାହଁିକି? ଅବଶ୍ୟ ଏହାସତ ଯେ, ମଣିପୁର ଏକ ଛୋଟ ରାଜ୍ୟ। ସେଠାରୁ ଅଧିକ ସଂଖ୍ୟକ ସାଂସଦ ସଂସଦ ଭବନକୁ ଆସିବାର ନାହଁି। ତେଣୁ ଶାସକ ଦଳକୁ ୨୦୨୪ ନିର୍ବାଚନରେ ମଣିପୁରରୁ କିଛି ଲାଭ ଦେଖାଯାଉ ନାହଁି। କେବଳ କ’ଣ ସେଇଥିପାଇଁ ମଣିପୁରକୁ ଜଳିବାକୁ ଛାଡ଼ିଦେଇ ହେବ! ପ୍ରଧାନମନ୍ତ୍ରୀ ଓ ଶାସକ ଦଳର ବହୁଳ ପ୍ରଚାରିତ ସ୍ଲୋଗାନ୍ ଡବଲ୍ଇଞ୍ଜିନ୍ ସରକାର ଅର୍ଥାତ୍ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ମଣିପୁରରେ ସ୍ଥାପିତ ଅଛି। ତା’ହେଲେ ଅସୁବିଧା ହେଉଛି କେଉଁଠି? ମଣିପୁର ଜଳିବାବେଳେ ସରକାର ଜଡ଼ ଅବସ୍ଥାକୁ ଆଦରି ନେଉଛନ୍ତି କାହଁିକି? ଭାରତବାସୀ ହିସାବରେ ଆମର ଏ ପ୍ରକାର ଜଡ଼ତାକୁ ଇତିହାସ କେବେ ବି କ୍ଷମାକରିବ ନାହଁି। ଆମ ଗଣମାଧ୍ୟମମାନେ ଯେତିକି ଆଗ୍ରହର ସହିତ ଦି କେରଲା ଷ୍ଟୋରି, କର୍ନାଟକ ନିର୍ବାଚନ ଓ ମନ୍ଦିର, ମସ୍ଜିଦ୍ ଘଟଣାକୁ ପ୍ରଚାର କରୁଛନ୍ତି, ସେତିକି ଆଗ୍ରହ ମଣିପୁର ପ୍ରତି ଦେଖିବାକୁ ମିଳୁନାହଁି। ମଣିପୁର ଜଳୁଥିବା ବେଳେ, ଆମ ପ୍ରଧାନମନ୍ତ୍ରୀ କର୍ନାଟକରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିଲେ। ଆମେରିକା ଗ୍ରସ୍ତରେ ଗଲେ। କିନ୍ତୁ ଥରୁଟିଏ ବି ମଣିପୁର ଯାଇ ଲୋକଙ୍କୁ ହିଂସା ନ କରିବା ପାଇଁ ଆହ୍ବାନ ଦେବାର ଆମେ ଦେଖିପାରିନାହଁୁ।
ମଣିପୁରର ଦଙ୍ଗା ଶକ୍ତିଶାଳୀ ଓ କ୍ଷମତାବାନ ମୈତେୟୀ ସଂପ୍ରଦାୟ ଓ ଆଦିବାସୀ ସଂପ୍ରଦାୟ ମଧ୍ୟରେ ଦୀର୍ଘଦିନରୁ ଥିବା ବିରୋଧର ପରିଣାମ। ମଣିପୁରରେ ପାରମ୍ପରିକ ଭାବେ ମୈତେୟୀ ରାଜା ଶାସନ କରିଆସୁଥିଲେ। ସ୍ବାଧୀନ ଭାରତରେ ମିଶ୍ରଣ ପରେ କ୍ଷମତା ମଧ୍ୟ ସେଇ ମୈତେୟୀମାନଙ୍କ ହାତରେ ରହିଲା। ସମଗ୍ର ରାଜ୍ୟରେ ମୈତେୟୀ ସଂପ୍ରଦାୟର ସଂଖ୍ୟା ୫୩% ହୋଇଥିବା ବେଳେ ଆଦିବାସୀ ୪୫% ଅଟନ୍ତି। ଆଦିବାସୀମାନେ ମୁଖ୍ୟତଃ ଦୁଇଟି ଗୋଷ୍ଠୀରେ ବିଭାଜିତ। କୁକି, ଚୀନ୍, ଜୋମି, ମିଜୋ, ହମାର୍ଙ୍କୁ ନେଇ କୁକିଗୋଷ୍ଠୀ ଓ ଟାଙ୍ଗଖୁଲ, ମାଉ ଓ ଅନ୍ୟକିଛି ସଂପ୍ରଦାୟକୁ ନେଇ ନାଗା ଗୋଷ୍ଠୀ। ସ୍ବାଧୀନତା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ସମୟ ମଣିପୁରରେ କେବଳ ମୈତେୟୀ ଗୋଷ୍ଠୀର ଲୋକ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ମାତ୍ର ୨ଜଣ ଆଦିବାସୀ ସଂପ୍ରଦାୟରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଉଭୟ ଉଖ୍ରୁଲ୍ ଜିଲାରୁ ଓ ନାଗାଗୋଷ୍ଠୀରୁ । କୁକି ଗୋଷ୍ଠୀ ଦୀର୍ଘଦିନ ହେବ ଅବହେଳାର ଶିକାର ହୋଇ ଆସୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି। ଏବେର ଭାଜପା ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂହ ମଧ୍ୟ ମୈତେୟୀ ସଂପ୍ରଦାୟର। ହିଂସା ଉଗ୍ରରୂପ ନେବା ପରେ ଦିଲ୍ଲୀରୁ ମଣିପୁର ମୁଖ୍ୟମନ୍ତ୍ରୀ ସମେତ ଚାରିଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ଡାକରା ଆସିଥିଲା। ସୂଚନାଯୋଗ୍ୟ ଯେ, ଉକ୍ତ ଚାରିଜଣ ଯାକ ମୈତେୟୀ ସଂପ୍ରଦାୟର। ପାଖାପାଖି ୩୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମଣିପୁର ଏକ ଛୋଟ ଓ ବିବିଧତାପୂର୍ଣ୍ଣ ରାଜ୍ୟ। ଆଜି ଦେଶର ବିଭିନ୍ନ କ୍ଷେତ୍ରରେ ମଣିପୁରର ଲୋକମାନେ ନିଜର ପରିଚୟ ତିଆରି କରିପାରିଛନ୍ତି। ଭାରତୀୟ ପ୍ରଶାସନିକ ସେବା, କ୍ରୀଡ଼ା, ସେନାବାହିନୀ, କଳା, ସଂସ୍କୃତି ଆଦି ସବୁକ୍ଷେତ୍ରରେ ମଣିପୁରର ଲୋକମାନେ ଆଗରେ ଅଛନ୍ତି। ଆଜି ମଣିପୁରରେ ଯେଉଁମାନେ ଲଢ଼ୁଛନ୍ତି, ମରୁଛନ୍ତି କିମ୍ବା ଶରଣାର୍ଥୀ ପାଲଟୁଛନ୍ତି ସମସ୍ତେ ଭାରତୀୟ। ସେମାନଙ୍କ ମୃତ୍ୟୁରେ ଓ ସେମାନଙ୍କ ଘର ଜଳୁଥିବାବେଳେ ଆମେ ଚୁପ୍ ବସିପାରୁଛେ କିପରି? ଏହି ପ୍ରବନ୍ଧର ଉଦ୍ଦେଶ୍ୟ ମଣିପୁରର ହିଂସାକୁ ବ୍ୟବଚ୍ଛେଦ କରିବା ନୁହେଁ, ଅସଲ ଉଦ୍ଦେଶ୍ୟ ହେଉଛି ମଣିପୁର ଜଳୁଥିବାବେଳେ କେନ୍ଦ୍ର ସରକାର ଓ ସମଗ୍ର ଭାରତ ଏତେ ଜଡ଼ ବ୍ୟବହାର କରିପାରୁଛି କିପରି? ମଣିପୁରର ଦୁର୍ଦ୍ଦଶା ସମୟରେ ଆମେ କିପରି ଏତେ ସମ୍ବେଦନଶୂନ୍ୟ ଓ ବିବେକ ଶୂନ୍ୟ ହୋଇପାରୁଛେ। ମଣିପୁର ପାକିସ୍ତାନ କି ଚୀନରେ ନାହଁି। ମଣିପୁର ଭାରତର ଅଂଶ ବିଶେଷ। ଆମର କର୍ତ୍ତବ୍ୟକୁ ଆମେ ଏଡ଼ାଇ ଯାଇପାରୁଛେ କିପରି?
ମଣିପୁରର ଭାଜପା ବିଧାୟକମାନଙ୍କର ଦୁଇଟି ଗୋଷ୍ଠୀ ଓ ରାଜ୍ୟ କଂଗ୍ରେସ୍ର ଗୋଟିଏ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଦେଖାକରି ମଣିପୁର ହିଂସା ବିଷୟରେ କଥାବାର୍ତ୍ତା କରିବା ପାଇଁ ଗତ ୧୫ ଜୁନ୍ଠାରୁ ଦିଲ୍ଲୀରେ ଡେରା ପକାଇଥିଲେ। କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ପ୍ରଧାନମନ୍ତ୍ରୀ ଜୁନ୍ ୨୦ରେ ଆମେରିକା ଗସ୍ତ କରିବା ପୂର୍ବରୁ ତାଙ୍କୁ ଦେଖାକରିବାକୁ ସମୟ ଦେଲେ ନାହଁି। ଏଥିରୁ ବୁଝାପଡ଼ୁଛି ମଣିପୁରର ହିଂସା ଓ ଦଙ୍ଗା ପ୍ରଧାନମନ୍ତ୍ରୀଙ୍କ ବିବେକକୁ ଆଦୌ ବି ଚହଲେଇ ପାରିନାହଁି। ମଣିପୁରର ଚିତ୍କାର ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣପଟଳକୁ ସ୍ପର୍ଶ କରିପାରିନାହଁି। ମଣିପୁରରେ ଶତାଧିକ ଲୋକ ମୃତ୍ୟୁବରଣ କଲେଣି। ଦଶ ହଜାରରୁ ଅଧିକ ଲୋକ ଶରଣାର୍ଥୀ ଶିବିରରେ ଅଛନ୍ତି। ହଜାର ହଜାର ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ରାଜରାସ୍ତା ସଶସ୍ତ୍ର ଲୋକଙ୍କ ଅକ୍ତିଆରରେ। ମାସାଧିକ କାଳ ମଣିପୁରରେ ଇଣ୍ଟରନେଟ୍ ବନ୍ଦ ରହିବା ଯୋଗୁ ସାଧାରଣ ଲୋକମାନେ ନାହଁି ନ ଥିବା ହଇରାଣ ହେଉଛନ୍ତି। ଲୋକମାନେ ହଜାର ହଜାର ସଂଖ୍ୟାରେ ମଣିପୁର ଛାଡ଼ୁଛନ୍ତି। ଗୋଟିଏ ଗୋଟିଏ ଫ୍ଲାଇଟ୍ ଟିକେଟ୍ର ମୂଲ୍ୟ ତିରିଶ ହଜାରରୁ ଟପିଯାଉଛି। ଏଟିଏମ୍ କେନ୍ଦ୍ର ଆଗରେ ରାତି ତିନିଟାରୁ ଲମ୍ବା ଧାଡ଼ିଲାଗୁଛି। ଏ ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଜଡ଼ତା ଆଦୌ ବି ଗ୍ରହଣୀୟ ନୁହେଁ। ଗଣମାଧ୍ୟମର ନୀରବତା ମଧ୍ୟ ତତୋଧିକ ଦୁର୍ଭାଗ୍ୟଜନକ। କେନ୍ଦ୍ରରେ କ୍ଷମତାରେ ଥିବା ଭାଜପା ମଣିପୁରରେ ବି କ୍ଷମତାରେ ଅଛି। ତଥାପି ହିଂସାକୁ ଆୟତ୍ତ କରିବାରେ ସରକାରଙ୍କ ସକ୍ରିୟତା ଆଦୌ ଦେଖାଯାଇନାହଁି। ମଣିପୁରର ଭାଜପା ବିଧାୟକମାନେ ବି ଅଭିଯୋଗ କରୁଛନ୍ତି ମୁଖ୍ୟମନ୍ତ୍ରୀ ଆଇନ୍ ଶୃଙ୍ଖଳା ରକ୍ଷାକରିବାରେ ବିଫଳ ହୋଇଛନ୍ତି। ତଥାପି କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ମଣିପୁରରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଷ୍ଟିଲ୍ ମିସିଙ୍ଗ୍ର ପୋଷ୍ଟର ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର, ଗଣମାଧ୍ୟମ ପ୍ରତିନିଧି ଓ ସମଗ୍ର ଭାରତବାସୀଙ୍କଠାରୁ ମଣିପୁର ପ୍ରତି ସମବେଦନା ସହିତ ହିଂସାକୁ ବନ୍ଦ କରିବା ପାଇଁ ଦୃଢ଼ ପଦକ୍ଷେପ ଆଶା କରାଯାଉଛି।
ଭିରଙ୍ଗ, ତିରଣ, ଜଗତ୍ସିଂହପୁର
ମୋ-୯୪୩୮୪୬୮୪୭୪