Categories: ଜାତୀୟ

ଏନ୍‌ସିପିରେ ବିବାଦର ପ୍ରମାଣ ନାହିଁ

ନୂଆଦିଲ୍ଲୀ,୭ା୮ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଅଜିତ ପାଓ୍ବାର ଦଳୀୟ ନିର୍ବାଚନୀ ଚିହ୍ନ ପାଇଁ ଦାବି କରିବା ଅପରିପକ୍ୱତା ଓ ଦୁର୍ଭାବନାପୂର୍ଣ୍ଣ ବୋଲି ଶରଦ ପାଓ୍ବାର ଗୋଷ୍ଠୀ ନିର୍ବାଚନ କମିଶନ (ଇସି)ଙ୍କୁ ଜଣାଇଛନ୍ତି। ଏନ୍‌ସିପିରେ ଦୁଇ ଗୋଷ୍ଠୀ ରହିଥିବାର ପ୍ରତିଫଳିତ ହେଉନାହିଁ କି ଏହାର କୌଣସି ପ୍ରମାଣ ନାହିଁ। ତେଣୁ ସେମାନଙ୍କ ଦାବି ପ୍ରତ୍ୟାଖ୍ୟାନ ହେବା ଆବଶ୍ୟକ ବୋଲି ପାଓ୍ବାର ଗୋଷ୍ଠୀ କହିଛି।

ଗତ ମାସରେ ଅଜିତ ପାଓ୍ବାର ଓ ତାଙ୍କ ଅନୁଗତ ବିଧାୟକମାନେ ଭାଜପା-ଏକନାଥ ଶିନ୍ଦେ ମେଣ୍ଟରେ ସାମିଲ ହୋଇ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶିନ୍ଦେଙ୍କ ଶିବସେନା ଗୋଷ୍ଠୀ ଭଳି ସେମାନେ ନିଜକୁ ପ୍ରକୃତ ଏନ୍‌ସିପି ଦାବି କରୁଛନ୍ତି। ଅଜିତ୍‌ଙ୍କ ନେତୃତ୍ୱରେ ଦଳୀୟ ବିଧାୟକମାନେ ନିର୍ବାଚନ କମିଶନଙ୍କ ଦ୍ୱାରସ୍‌ଥ ହୋଇ ଦଳୀୟ ନାମ ଓ ନିର୍ବାଚନୀ ଚିହ୍ନ ଦାବି କରିଥିଲେ। ଗତ ଜୁନ୍‌ ୩୦ରେ ପ୍ରସ୍ତାବ ଗୃହୀତ ହୋଇ ଅଜିତ ପାଓ୍ବାରଙ୍କୁ ଏନ୍‌ସିପି ମୁଖ୍ୟ ନିର୍ବାଚିତ କରାଯାଇଥିବା ସେମାନେ ନିର୍ବାଚନ କମିଶନଙ୍କୁ କହିଥିଲେ। ଉକ୍ତ ପ୍ରସ୍ତାବରେ ଦଳର ଅଧିକାଂଶ ସଦସ୍ୟ ସ୍ବାକ୍ଷର କରିଥିବା ସେମାନେ ଦାବି କରିଥିଲେ।

ତେବେ ଏନ୍‌ସିପିରେ ବିବାଦ ଥିବା ନେଇ ଅଜିତ ପ୍ରମାଣ ଦେଖାଇପାରି ନ ଥିଲେ। ତେଣୁ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ଏବଂ ଅଜିତଙ୍କ ନେତୃତ୍ୱାଧୀନ ଏନ୍‌ସିପିରେ ବିବାଦ ଥିବା ନେଇ ନିର୍ବାଚନ କମିଶନ କୌଣସି ନିଷ୍ପତ୍ତି ନେଇପାରି ନାହାନ୍ତି। କାରଣ ଜୁଲାଇ ୧ ପୂର୍ବରୁ ଅଜିତ ଏନ୍‌ସିପି କିମ୍ବା ଶରଦ ପାଓ୍ବାରଙ୍କ ବିରୋଧରେ କୌଣସି ଅଭିଯୋଗ ଆଣି ନ ଥିଲେ। ସେ ପାଓ୍ବାରଙ୍କ ସହ କିମ୍ବା ଏନ୍‌ସପିର ଅନ୍ୟ କୌଣସି ନେତାଙ୍କ ସହ ବୈଠକ କରିବା ପାଇଁ ଅନୁରୋଧ ମଧ୍ୟ କରି ନ ଥିଲେ ବୋଲି ପାଓ୍ବାର ଗୋଷ୍ଠୀ ଦାଖଲ କରିଥିବା ପିଟିଶନରେ ଉଲ୍ଲେଖ କରାଯାଇଛି। ଏଥିରୁ ଏନ୍‌ସିପିରେ ଗୋଷ୍ଠୀ ବିବାଦ ଥିବାର ପ୍ରମାଣ ନାହିଁ ବୋଲି ପାଓ୍ବାର ଗୋଷ୍ଠୀ କହିଛନ୍ତି।

Share