ଭାଲଚନ୍ଦ୍ର ଷଡ଼ଙ୍ଗୀ
ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ର ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ଶହେ ଟପିଥିବା ବେଳେ ଡିଜେଲ ମଧ୍ୟ ନବେରୁ ଶହେ ମଧ୍ୟରେ ରହିଛି। କରୋନା ମହାମାରୀ ଯୋଗୁ ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଥିବା ବେଳେ ପେଟ୍ରୋଲଜାତ ଦ୍ରବ୍ୟର ଏଭଳି ଆକାଶଛୁଆଁ ମୂଲ୍ୟବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ପରି ହୋଇଛି। ବିଶେଷ କରି ଦେଶର ମାଲ ଓ ଯାତ୍ରୀ ପରିବହନ ତଥା କୃଷି ପ୍ରାୟତଃ ଡିଜେଲ ଉପରେ ନିର୍ଭର କରୁଥିବାରୁ ତା’ର ଲଗାତର ମୂଲ୍ୟବୃଦ୍ଧି ଜିନିଷପତ୍ରର ପରିବହନ ଖର୍ଚ୍ଚକୁ ବଢ଼ାଇ ତାକୁ ମହଙ୍ଗା କରି ଦେଉଛି। ଅନ୍ୟପଟେ ଡିଜେଲ ଦର ବୃଦ୍ଧି ଲାଗି କୃଷିର ଉପତ୍ାଦନ ଖର୍ଚ୍ଚ ବୃଦ୍ଧି ପାଇ କୃଷକର ବୋଝକୁ ବଢ଼ାଇଦେଇଛି।
ଦେଶରେ ପେଟ୍ରୋଲ, ଡିଜେଲର ଦାମ୍ ଏପରି ସମୟରେ ବଢ଼ିଛି, ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତେଲର ମୂଲ୍ୟ ପୂର୍ବାପେକ୍ଷା ବହୁତ ତଳକୁ ଖସିଛି। ୨୦୧୪ରେ ମୋଦିଙ୍କ ସରକାର ଆସିବା ପୂର୍ବରୁ ବିଶ୍ୱ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୧୧୦-୧୨୦ ଡଲାର ରହି ସର୍ବକାଳୀନ ରେକର୍ଡ କରିଥିଲା। ଗୋଟିଏ ସମୟରେ ତାହା ୧୫୦ ଡଲାର ପର୍ଯ୍ୟନ୍ତ ବି ଯାଇଥିଲା। କିନ୍ତୁ ପେଟ୍ରୋଲ ଓ ଡିଜେଲ ସମ୍ପୂର୍ଣ୍ଣ ରୂପେ ସରକାରୀ ନିୟନ୍ତ୍ରଣରେ ଥିବାରୁ ବିଶ୍ୱବଜାରରେ ଅତିଶୟ ଦରବୃଦ୍ଧି ସତ୍ତ୍ୱେ ସେତେବେଳେ ତା’ର ଲିଟର ପିଛା ଦର ଯଥାକ୍ରମେ ୭୬ ଟଙ୍କା ଓ ୬୭ ଟଙ୍କା ରହିଥିଲା। ଆଜି କିନ୍ତୁ, ଅଶୋଧିତ ତେଲର ଦର ମାତ୍ର ୬୨ ଡଲାର ଥିବାବେଳେ ଆମକୁ ପେଟ୍ରୋଲ ୧୦୫-୧୧୦ ଟଙ୍କାରେ ଓ ଡିଜେଲ ୯୫-୧୦୦ ଟଙ୍କାରେ କିଣିବାକୁ ପଡ଼ୁଛି।
ପୂର୍ବରୁ ପେଟ୍ରୋଲ ଓ ଡିଜେଲର ଦରକୁ ସରକାର ନିୟନ୍ତ୍ରଣ କରୁଥିବା ବେଳେ ଆମକୁ ସେସବୁ ଶସ୍ତାରେ ଉପଲବ୍ଧ ଥିଲା। ବିଶ୍ୱ ବଜାରରେ ମୂଲ୍ୟ ବଢ଼ିଲେ ସରକାର ସବ୍ସିଡି ଜରିଆରେ ତାକୁ ଶସ୍ତାରେ ଉପଲବ୍ଧ କରାଉଥିଲେ। କିନ୍ତୁ ସବ୍ସିଡି ବ୍ୟବସ୍ଥାର ସମାପ୍ତି କରି ସରକାର ୨୦୧୦ରେ ପେଟ୍ରୋଲ ଓ ୨୦୧୪ରେ ଡିଜେଲକୁ ନିୟନ୍ତ୍ରଣମୁକ୍ତ କରିବା ଡାଇନାମିକ୍ ପ୍ରାଇସିଂର ବ୍ୟବସ୍ଥା ଆରମ୍ଭ କରିଥିଲେ। ବିଶ୍ୱ ବଜାରରେ ଦର ଅନୁସାରେ ଦେଶରେ ପେଟ୍ରୋଲ ଡିଜେଲର ଖୁଚୁରା ଦରକୁ ବୃଦ୍ଧି ବା ହ୍ରାସ କରିବା ପାଇଁ ଘୋଷଣା କରାଗଲା। ତେବେ ପରିତାପର ବିଷୟ ସରକାର ନିଜର ଘୋଷଣାକୁ ଏଯାଏ କାର୍ଯ୍ୟକାରୀ କଲେନାହିଁ। ଗତ ସାତ ବର୍ଷ ମଧ୍ୟରେ ବିଶ୍ୱ ବଜାରରେ ଅଶୋଧିତ ତେଲର ଦର ଲଗାତର ହ୍ରାସ ପାଇବା ସତ୍ତ୍ୱେ ସରକାର ଦେଶରେ ପେଟ୍ରୋଲ ଓ ଡିଜେଲର ଦରକୁ କମାଇବା ଦେଖାଗଲାନିି। ଯଦିଓ ବିଶ୍ୱ ବଜାରରେ ଦରବୃଦ୍ଧି ହେଲେ ଦେଶରେ ପେଟ୍ରୋଲ ଡିଜେଲର ଖୁଚୁରା ଦରକୁ ତୁରନ୍ତ ବଢ଼ାଯାଉଛି ଅଥଚ ଦରହ୍ରାସ ହେଲେ ତାକୁ ଆଉ ହ୍ରାସ କରିବା ଦେଖାଯାଉନି।
ପେଟ୍ରୋଲ-ଡିଜେଲର ଦରରେ ଆମର କୌଣସି ହାତ ନାହିଁ ଏବଂ ସମ୍ପୂର୍ଣ୍ଣ ଭାବେ ତାହା ବଜାର ହାତରେ ରହିଛି ବୋଲି ସରକାର କହୁଛନ୍ତି। ଅନ୍ୟପଟେ ଗତ ୨୬ ଫେବୃୟାରୀରେ ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ଘୋଷଣା ହେବା ପରଠାରୁ ୨ ମଇ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ ଡିଜେଲର ଦରରେ ସାମାନ୍ୟ ପରିବର୍ତ୍ତନ ହୋଇ ନ ଥିଲା। ସେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୬୭ ଡଲାରରୁ ୭୫ ଡଲାରକୁ ବୃଦ୍ଧି ପାଇଥିଲେ ମଧ୍ୟ ନିର୍ବାଚନକୁ ଦେଖି ଦରବୃଦ୍ଧି ହୋଇ ନ ଥିଲା। କିନ୍ତୁ ଫଳ ଘୋଷଣାର ତୁରନ୍ତ ପରେ ଅର୍ଥାତ୍ ୪ ମଇରୁ ୧୭ ଜୁଲାଇ, ମୋଟ ୪୩ ଦିନର ଅବଧିରେ ସରକାର ପେଟ୍ରୋଲ ଓ ଡିଜେଲରେ ଯଥାକ୍ରମେ ୪୧ ଥର ଓ ୩୭ ଥର ବୃଦ୍ଧି କରିଥିଲେ। ଆଶ୍ଚର୍ଯ୍ୟର କଥା, ବିଶ୍ୱ ବଜାରରେ ଦର ୬୨ ଡଲାରକୁ ଖସିଥିଲେ ମଧ୍ୟ ଦେଶରେ ପେଟ୍ରୋଲର ଦର ଆଦୌ କମି ନ ଥିବା ବେଳେ ଡିଜେଲର ଦରରେ ନାମକୁ ମାତ୍ର ହିଁ କମାଯାଇଛି। ଏହା ସରକାରଙ୍କ ସହଯୋଗରେ ଦେଶର ତୈଳ କମ୍ପାନୀଙ୍କ ଦ୍ୱାରା ସାଧାରଣ ଜନତାଙ୍କୁ ସିଧାସଳଖ ଳୁଟ୍ ବୋଲି କୁହାଯାଇପାରେ।
ବିଶ୍ୱ ବଜାରରେ ମୂଲ୍ୟହ୍ରାସ ହେଲେ ଦେଶରେ ତେଲର ଦରକୁ ତ କମାଯାଉନି, ଓଲଟା ପେଟ୍ରୋଲ ଡିଜେଲ ଉପରେ ଉପତ୍ାଦନ ଶୁଳ୍କକୁ ବାରମ୍ବାର ବଢ଼ାଇ ସରକାର ଲୋକଙ୍କ ଉପରେ ଦରବୃଦ୍ଧିର ବୋଝକୁ ଅବ୍ୟାହତ ରଖିଛନ୍ତିି। ଗତ ସାତ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ମୋଟ ୧୩ ଥର ଉପତ୍ାଦନ ଶୁଳ୍କକୁ ବଢ଼ାଯାଇଥିବା ବେଳେ ମାତ୍ର ୩ ଥର ହିଁ ହ୍ରାସ କରାଯାଇଛି। ୨୦୧୪ରେ ଡିଜେଲ ଉପରେ ଉପତ୍ାଦନ ଶୁଳ୍କ ୩.୫୬ ଟଙ୍କା ଥିଲା ବେଳେ ସେଥିରେ ୭୯୪% ବୃଦ୍ଧି କରି ବର୍ତ୍ତମାନ ୩୧.୮୦ ଟଙ୍କା କରାଯାଇଛି। ସେହିପରି ପେଟ୍ରୋଲ ଉପରେ ଉପତ୍ାଦନ ଶୁଳ୍କ ବି ୨୪୭% ବୃଦ୍ଧି ଫଳରେ ତାହା ୯.୪୮ ଟଙ୍କାରୁ ଆଜି ୩୨.୯୦ ଟଙ୍କାରେ ପହଞ୍ଚତ୍ଛି। ୨୦୧୪-୧୫ରେ ପେଟ୍ରୋଲ ଓ ଡିଜେଲ ଉପରେ ଉପତ୍ାଦନ ଶୁଳ୍କ ବାବଦରେ ସରକାର ଯଥାକ୍ରମେ ୨୯,୨୭୯ କୋଟି ଓ ୪୨,୮୮୧ କୋଟି ଟଙ୍କା ଆଦାୟ କରୁଥିବା ବେଳେ ଗତ ସାତ ବର୍ଷ ମଧ୍ୟରେ ସରକାର ମୋଟ ୨୨,୩୩,୮୬୮ କୋଟି ଟଙ୍କା ସଂଗ୍ରହ କରିଛନ୍ତି।
ପେଟ୍ରୋଲ-ଡିଜେଲର ଦରବୃଦ୍ଧି ପଛରେ ବିପୁଳ ସରକାରୀ ଟିକସ ଓ ତୈଳ କମ୍ପାନୀଙ୍କ ଲୁଟ୍ ହିଁ ପ୍ରମୁଖ କାରଣ ଏକଥା ସରକାର କେବେ କେବେ ବି ଜନସାଧାରଣଙ୍କୁ କହିବାକୁ ଚାହୁଁନାହାନ୍ତି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ପେଟ୍ରୋଲ ଓ ଡିଜେଲ ଉପରେ ସରକାର ନେଉଥିବା ଅତ୍ୟଧିକ ଉପତ୍ାଦନ ଶୁଳ୍କକୁ କମାଯିବ ନାହିଁ ବୋଲି ସ୍ପଷ୍ଟ କରିବା ସହିତ ଦରବୃଦ୍ଧି ପାଇଁ ପୂର୍ବର କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ଜାରି ତୈଳବଣ୍ଡ୍କୁ ଦାୟୀ କରିଛନ୍ତି। ନିଜକୁ ଦୋଷମୁକ୍ତ କରିବାକୁ ମୋଦି ସରକାରଙ୍କ ଏଭଳି ଯୁକ୍ତି ଆଦୌ ନୂଆ ନୁହେଁ। ଗତ ସାତ ବର୍ଷ ମଧ୍ୟରେ ସରକାର ଦେଶରେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ନେଇ ଉଦ୍ଭଟ ଯୁକ୍ତି କରି ଆସିଛନ୍ତି। ଏବେ ସେମାନେ ଉପା ସରକାର ସମୟରେ ଜାରି ହୋଇଥିବା ତୈଳବଣ୍ଡ୍କୁ ହିଁ ଦରବୃଦ୍ଧିର କାରଣ ବୋଲି କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଯଦି ତୈଳବଣ୍ଡ୍ ଯୋଗୁ ଦରବୃଦ୍ଧି ହେଉଛି, ତା’ହେଲେ ସରକାର ଏଯାଏ ଏନେଇ ଚୁପ୍ ରହି ଅନ୍ୟକଥା କହୁଥିଲେ କାହିଁକି ? ତେବେ ସରକାର ଯାହା ବି କୁହନ୍ତୁ, ଦେଶରେ ବର୍ଦ୍ଧିତ ତୈଳଦର ପଛରେ ଯେ ତୈଳବଣ୍ଡ୍ ମୁଖ୍ୟ କାରଣ ନୁହେଁ, ତାହା ତଥ୍ୟର ଆଧାରରେ କୁହାଯାଇପାରେ।
କୌଣସି ଖର୍ଚ୍ଚ ପାଇଁ ସରକାର ନଗଦ ବଦଳରେ ବଣ୍ଡ୍ ଜାରି କରିବା ନୂଆ କଥା ନୁହେଁ। କେନ୍ଦ୍ର ସରକାରଙ୍କ ପାଖରେ ତୈଳ କମ୍ପାନୀ, ସାର କମ୍ପାନୀ ଏବଂ ଖାଦ୍ୟ ନିଗମକୁ ନଗଦ ବଦଳରେ ବଣ୍ଡ୍ ଜାରି କରିବାର ଆଇନଗତ କ୍ଷମତା ରହିଛି। ଉପା ସରକାରଙ୍କ ପୂର୍ବରୁ ବାଜପେୟୀଙ୍କ ସରକାର ହିଁ ପ୍ରଥମ ଥର ପାଇଁ ଏଭଳି ତୈଳବଣ୍ଡ୍ ଜାରି କରିଥିଲେ। ବର୍ତ୍ତମାନର ମୋଦି ସରକାର ମଧ୍ୟ ବ୍ୟାଙ୍କ୍ର ରିକ୍ୟାପିଟାଲାଇଜେସନ୍, ଖାଦ୍ୟ ଓ ସାର ସବ୍ସିଡି ବାବଦରେ ବ୍ୟାଙ୍କ୍, ସାର କମ୍ପାନୀ ଓ ଖାଦ୍ୟ ନିଗମକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ବଣ୍ଡ୍ ଜାରି କରିଛନ୍ତି। ସରକାର ବ୍ୟାଙ୍କ୍ରେ ରିକ୍ୟାପିଟାଲାଇଜେସନ୍ ଯେଉଁ ୪ ଲକ୍ଷ କୋଟିର ପୁଞ୍ଜି ଦେଇଛନ୍ତି, ତା’ର ସିଂହ ଭାଗ ବଣ୍ଡ୍ ଆକାରରେ ଦିଆଯାଇଛି; ଯାହାର ସୁଧ ବାବଦରେ ହିଁ ସରକାର ଗତ ତିନି ବର୍ଷ ମଧ୍ୟରେ ପ୍ରାୟ ୬୦,୦୦୦ କୋଟି ଖର୍ଚ୍ଚ କରିଛନ୍ତି। ମୋଦି ସରକାର ଜାରି କରିଥିବା ଉପରୋକ୍ତ ବଣ୍ଡ୍ଗୁଡ଼ିକୁ ଯେ ଆଗାମୀ ସରକାରଙ୍କୁ ଶୁଝିବାକୁ ପଡ଼ିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ତୈଳର ବର୍ଦ୍ଧିତ ଦରରୁ ଲୋକଙ୍କୁ ରିହାତି ଦେବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ସବ୍ସିଡି ଦେଉଥିଲେ। ବିଶ୍ୱ ବଜାରରେ ତେଲର ଦାମ୍ ବଢ଼ିଲେ ତାକୁ ଦେଶରେ ଶସ୍ତା ରଖିବାକୁ କେନ୍ଦ୍ର ସରକାର ରାଜକୋଷରୁ ଏହି ସବ୍ସିଡି ଦେଉଥିଲେ। ଆର୍ଥିକ ପରିସ୍ଥିତିକୁ ଦେଖି ସରକାର ତୈଳ କମ୍ପାନୀଙ୍କୁ ନଗଦ ବଦଳରେ ବଣ୍ଡ୍ ଜାରି କରିଥାନ୍ତି। ଏହି ତୈଳବଣ୍ଡ୍ ସାଧାରଣତଃ ଦୀର୍ଘ ଅବଧିର ହୋଇଥାଏ ଏବଂ ସେଥିପାଇଁ ପ୍ରତିବର୍ଷ ସୁଧ ବି ଦିଆଯାଇଥାଏ। ଏହାଦ୍ୱାରା ସରକାରଙ୍କୁ ନିଜର ବଜେଟରୁ ତୁରନ୍ତ ଖର୍ଚ୍ଚ କରିବାକୁ ପଡ଼ି ନ ଥାଏ। ଏହି କ୍ରମରେ ତତ୍କାଳୀନ ଉପା ସରକାର ୨୦୦୫ରୁ ୨୦୧୦ ମଧ୍ୟରେ ୧,୩୪,୪୨୩.୧୭ କୋଟିର ତୈଳବଣ୍ଡ୍ ଜାରି କରିଥିଲେ। ୨୦୦୫-୨୦୧୦ ମଧ୍ୟରେ ଜାରି ହୋଇଥିବା ଏହି ବଣ୍ଡ୍ଗୁଡ଼ିକ ୨୦୨୨-୨୬ ମଧ୍ୟରେ ମାଚ୍ୟୁର ହେବାକୁ ଯାଉଛି। ଏ ବାବଦରେ ସରକାର ଗତ ସାତବର୍ଷ ମଧ୍ୟରେ ବାର୍ଷିକ ପ୍ରାୟ ୧୦ ହଜାର କୋଟି ଟଙ୍କାର ସୁଧ ସହ ମୂଳଧନ ବାବଦକୁ ୩,୫୦୦ କୋଟି ଟଙ୍କାକୁ ମିଶାଇ ତୈଳବଣ୍ଡ୍ ବାବଦରେ ମୋଟ ୭୩,୪୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରଙ୍କ ତେଲରୁ ଆୟ ତୁଳନାରେ ଏହି ରାଶି ଅତ୍ୟନ୍ତ ନଗଣ୍ୟ ମାତ୍ର। ଗତ ସାତବର୍ଷ ମଧ୍ୟରେ ତେଲରୁ ଆଦାୟ ହୋଇଥିବା ପ୍ରାୟ ୨୩ ଲକ୍ଷ କୋଟି ଟଙ୍କାର ଉପତ୍ାଦନ ଶୁଳ୍କ ଓ ସେସ୍ର ଏହା ମାତ୍ର ୩.୨%।
କରୋନା କାଳରେ ଦେଶର ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଥିବା ବେଳେ କର୍ପୋରେଟ୍ମାନେ ବିପୁଳ ମୁନାଫା କମାଇଛନ୍ତି। ବିଶ୍ୱର ଉନ୍ନତ ଦେଶରେ ସରକାରମାନେ ରାଜକୋଷକୁ ବୃଦ୍ଧି କରିବା ପାଇଁ କର୍ପୋରେଟ୍ମାନଙ୍କ ଉପରେ ଟିକସର ହାରକୁ ବଢ଼ାଇବା ଦେଖାଯାଇଛି ।
କିନ୍ତୁ ଆମ ଦେଶରେ ତା’ର ବିପରୀତ ମୋଦି ସରକାର ରାଜକୋଷକୁ ଭରିବା ପାଇଁ କର୍ପୋରେଟଙ୍କ ବଦଳରେ ସାଧାରଣ ଜନତାଙ୍କ ଉପରେ ହିଁ ଟିକସର ବୋଝକୁ ଲଦିଛନ୍ତି। ସେସବୁ ଦେଶ ପରି ଆମ ଦେଶରେ କର୍ପୋରେଟ୍ଙ୍କ ଉପରେ ସମ୍ପତ୍ତି କର, ଉତ୍ତାଧିକାର କର ପରି ପ୍ରତ୍ୟକ୍ଷ ଟିକସକୁ ଲାଗୁ କରିବା ଦୂରର କଥା, ପୂର୍ବରୁ ରହିଥିବା କର୍ପୋରେଟ୍ ଟିକସକୁ ବି ହ୍ରାସ କରାଯାଇଛି। ୨୦୦୮ରେ ଏହି ଟିକସର ପରିମାଣ ୧୨.୧% ଥିବା ବେଳେ ବର୍ତ୍ତମାନ ସରକାର ତାକୁ ୧୦.୨%କୁ ହ୍ରାସ କରିଛନ୍ତି; ଯାହା ଫଳରେ ଦେଶର ରାଜକୋଷକୁ ବାର୍ଷିକ ୧,୪୦,୦୦୦କୋଟିର କ୍ଷତି ହୋଇଛି। ଏଭଳି ପରିସ୍ଥିତିରେ ସରକାର ପେଟ୍ରୋଲ ଡିଜେଲ ଉପରେ ଟିକସ ଓ ସେସ୍କୁ ବଢ଼ାଇ ସାଧାରଣ ଜନତାଙ୍କୁ ଲୁଟୁଥିବା ବେଳେ ତେଲ କମ୍ପାନୀଗୁଡ଼ିକ ବିଶ୍ୱବଜାରରେ ଦରହ୍ରାସର ଲାଭ ସାଧାରଣ ଜନତାଙ୍କୁ ନ ଦେବା ଗ୍ରହଣୀୟ ନୁହେଁ।
ମୋ: ୯୪୩୭୧୬୬୩୯୧