Categories: ଜାତୀୟ

ପାକିସ୍ତାନରେ ଆଇଏସ୍‌ ଆତଙ୍କବାଦୀ ଶିବିର, ଭାରତ ପାଇଁ ସତର୍କ ଘଣ୍ଟି…

ନୂଆଦିଲ୍ଲୀ, ୧୩।୩ : ଇସଲାମିକ ଷ୍ଟେଟ-ଖୋରାସାନ (ଆଇଏସ୍‌-କେ) ପାକିସ୍ତାନରେ ଆତଙ୍କବାଦୀ ଶିବିର ସ୍ଥାପନ କରିଛି। ଏହା ଭାରତ ପାଇଁ ସତର୍କ ଘଣ୍ଟି ସାବ୍ୟସ୍ତ ହୋଇଛି। କୁହାଯାଉଛି ଯେ ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଆଇଏସ-କେ ଉପରେ ଚାପ ବଢ଼ିବାରେ ଲାଗିଛି। ଗତ ବର୍ଷ ଅଗଷ୍ଟରେ କ୍ଷମତାକୁ ଫେରିବା ପରେ ତାଲିବାନ ପକ୍ଷରୁ ଆଇଏସ୍‌-କେ ଆତଙ୍କବାଦୀଙ୍କ ବିରୋଧରେ ଏକ ବିଶାଳ ଅଭିଯାନ ଚଳାଇଛି। ଏହା ପାକିସ୍ତାନ ପାଇଁ ବିପଦ ସୃଷ୍ଟି କରିଛି।

ପାକିସ୍ତାନରେ ବହୁ ହାଇ-ପ୍ରୋଫାଇଲ ଆକ୍ରମଣ ପାଇଁ ଆଇଏସ-କେ ନିଜକୁ ଦାୟୀ ମଧ୍ୟ କରି ସାରିଛି। ମାର୍ଚ୍ଚ ୪ରେ ଉତ୍ତର-ପଶ୍ଚିମ ସହର ପେଶୱାରର ଏକ ଶିଆ ମସଜିଦ ଭିତରେ ଆଇଏସ-କେ ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏହି ଆତ୍ମଘାତୀ ଆକ୍ରମଣରେ ଅତି କମରେ ୬୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ। ପ୍ରାୟ ଚାରି ବର୍ଷ ମଧ୍ୟରେ ପାକିସ୍ତାନରେ ଏହା ସବୁଠାରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଥିଲା।

 

ଆଇଏସ୍‌-କେପ୍ରଥମେ ୨୦୧୫ ରେ ଇସଲାମିକ ଷ୍ଟେଟ (ଆଇଏସ) ର ସ୍ଥାନୀୟ ସହଯୋଗୀ ଭାବରେ ଉଭା ହୋଇଥିଲା। ଆଫଗାନିସ୍ତାନରେ ଏହା ହିଂସାତ୍ମକ ଅଭିଯାନ ଚଳାଇଥିଲା। ଏହା ଆଫଗାନିସ୍ତାନ ଏବଂ ବିଦେଶୀ ବାହିନୀ ତଥା ଏହାର ପ୍ରତିଦ୍ୱନ୍ଦ୍ୱୀ ଆତଙ୍କବାଦୀ ସଂଗଠନ ତାଲିବାନ ବିରୁଦ୍ଧରେ ଲଢ଼େଇ ଜାରି ରଖିଛି। ଗୋଇନ୍ଦା ରିପୋର୍ଟ ଅନୁସାରେ ଆଇଏସ-କେ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ଥିବା ବେସରୁ ପାକିସ୍ତାନର ପ୍ରମୁଖ ସହରରେ ସେଲ ସ୍ଥାପନ କରିଛନ୍ତି। ଫଳରେ ବର୍ତ୍ତମାନ ଆଇଏସ-କେ ଆକ୍ରମଣ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛି। ତେହେରିକ-ଇ ତାଲିବାନ ପାକିସ୍ଥାନ (ଟିଟିପି) ର ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ଆଇଏସ-କେ ଚଳିତ ବର୍ଷ ପାଞ୍ଚଟି ଆକ୍ରମଣ କରିସାରିଛି। ମାର୍ଚ୍ଚ ୮ରେ, ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ବିସ୍ଫୋରଣରେ ସୁରକ୍ଷା ବାହିନୀର ପାଞ୍ଚଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଥିଲେ। ବଢୁୁଥିବା ଆକ୍ରମଣ ପ୍ରଦେଶର ଶାନ୍ତି ଏବଂ ନିରାପତ୍ତା ପ୍ରତି ଅଧିକ ବିପଦ ବୋଲି ଖାଇବର ପାସ୍ତୁନଖ୍ବା ପୋଲିସ ମହାନିର୍ଦ୍ଦେଶକ ମୋଜାଜାମ ଜାହ ଅନସାରୀ କହିଛନ୍ତି। ଆଇଏସ-କେକୁ ଟିଟିପି ତୁଳନାରେ ଅଧିକ ଭୟଙ୍କର ଭାବେ ଦର୍ଶାଇଛନ୍ତି। ବହୁ ଆଇଏସ୍‌-କେ ଯୋଦ୍ଧା ଟିଟିପିର ପୂର୍ବତନ ସଦସ୍ୟ।

୨୦୧୪ ରେ ପାକିସ୍ତାନର ଉତ୍ତର-ପଶ୍ଚିମ ଆଦିବାସୀ ଅଞ୍ଚଳରେ ଟିଟିପିକୁ ଲୋପ କରାଯାଇଥିଲା। ତେବେ ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବାପରେ ଟିଟିପି ଆଫଗାନିସ୍ତାନ ତାଲିବାନ ସହ ଯୁଦ୍ଧ କରୁଛି ଏବଂ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଛି। ଆଫଗାନିସ୍ତାନ ଆତଙ୍କବାଦୀମାନେ ଆଇଏସ-କେ ସଦସ୍ୟଙ୍କ ପାଇଁ ଦେଶବ୍ୟାପୀ ସର୍ଚ୍ଚ ଆରମ୍ଭ କରିଛନ୍ତି। ଗୋଷ୍ଠୀର ସଦସ୍ୟଙ୍କ ସମର୍ଥନକୁ ରୋକିବା ପାଇଁ ଏହା ଦେଶର ଛୋଟ ସାଲଫି ସଂଖ୍ୟାଲଘୁଙ୍କୁ ମଧ୍ୟ ଟାର୍ଗେଟ କରିଥିବା କୁହାଯାଉଛି।

Share