Categories: ଜାତୀୟ

ଡାଭୋଲକର, ପାନ୍‌ସାରେ, ଲଙ୍କେଶ, କାଲବୁର୍ଗୀ ହତ୍ୟା ମଧ୍ୟରେ ସମ୍ପୃକ୍ତି ଅଛି କି

ନୂଆଦିଲ୍ଲୀ,୧୯ା୮(ପି.ଟି.): ହେତୁବାଦୀ ନରେନ୍ଦ୍ର ଡାଭୋଲକର, ସିପିଆଇ ନେତା ଗୋବିନ୍ଦ ପାନ୍‌ସାରେ, ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌରୀ ଲଙ୍କେଶ ଏବଂ ବିଦ୍ୱାନ ଏମ୍‌.ଏମ୍‌. କାଲବୁର୍ଗୀ ହତ୍ୟାକାଣ୍ଡ ପଛରେ କୌଣସି ସମାନ ସୂତ୍ର ରହିଛି କି ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ପ୍ରଶ୍ନ କରିଛନ୍ତି। ଅନ୍ଧବିଶ୍ୱାସ ବିରୋଧରେ ଲଢ଼େଇ କରୁଥିବା ଡାଭୋଲକର ୨୦୧୩ ଅଗଷ୍ଟ ୨୦ରେ ପୁଣେରେ ପ୍ରାତଃଭ୍ରମଣରେ ଯାଇଥିବାବେଳେ ମୋଟରସାଇକେଲରେ ୨ ଜଣ ଆସି ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ୨୦୧୫ ଫେବୃୟାରୀ ୨୦ରେ ପାନ୍‌ସାରେଙ୍କୁ ହତ୍ୟା କରାଯାଇଥିବାବେଳେ ଲଙ୍କେଶଙ୍କୁ ୨୦୧୭ ସେପ୍ଟେମ୍ବର ୫ରେ ଏବଂ କାଲବୁର୍ଗୀଙ୍କୁ ୨୦୧୫ ଅଗଷ୍ଟ ୩୦ରେ ଗୁଳିକରି ହତ୍ୟା କରାଯାଇଥିଲା। ଡାଭୋଲକରଙ୍କ ଝିଅ ମୁକ୍ତା ଡାଭୋଲକରଙ୍କ ଆବେଦନର ଶୁଣାଣି ବେଳେ ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ସିବିଆଇକୁ ଉପରୋକ୍ତ ପ୍ରଶ୍ନ କରିଛନ୍ତି। ଡାଭୋଲକରଙ୍କ ହତ୍ୟାର ତଦନ୍ତକୁ କ୍ରମାଗତ ଅନୁଧ୍ୟାନ କରିବା ଲାଗି ବମ୍ବେ ହାଇକୋର୍ଟ ଗତ ଏପ୍ରିଲ ୧୮ରେ ବମ୍ବେ ହାଇକୋର୍ଟ ମନା କରିଦେବା ପରେ ମୁକ୍ତା ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୪ ଜଣଙ୍କ ହତ୍ୟା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର ଥିବା ମୁକ୍ତାଙ୍କ ଓକିଲ ଆନନ୍ଦ ଗ୍ରୋଭର ଖଣ୍ଡପୀଠଙ୍କୁ କହିଥିଲେ। ୪ଟି ଯାକ ମାମଲା ମଧ୍ୟରେ ସମ୍ପୃକ୍ତି ରହିଥିବା ଉପଲବ୍ଧ ତଥ୍ୟ ପ୍ରମାଣ ସୂଚାଉଛି ବୋଲି ସେ କହିଥିଲେ। ୪ ମାମଲା ମଧ୍ୟରେ କ’ଣ ସମ୍ପର୍କ ରହିଛି ବୋଲି ସିବିଆଇ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟିଙ୍କୁ ଜଷ୍ଟିସ ଧୁଲିଆ ପ୍ରଶ୍ନ କରିବା ସହ ଏହାର ଅନୁଧ୍ୟାନ କରିବାକୁ କହିଥିଲେ।

Share