ଲକ୍ଷ୍ନୌ,୨୫।୨: ଗତ ଶୃଙ୍ଖଳାରେ ନିରାଶ କରିବା ପରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ରେ ଫର୍ମକୁ ଫେରିଛନ୍ତି ଓପନର୍ ଇଶାନ କିଶନ। ସେ ୫୬ ବଲ୍ରେ ବିସ୍ଫୋରକ ୮୯ ରନ୍ର ଇନିଂସ ଖେଳି ଦଳକୁ ଜିତାଇବାରେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ଏବେ ସେ ନିଜର ଫର୍ମକୁ ଫେରିବାର ଶ୍ରେୟ ଅଧିନାୟକ ତଥା ହିଟ୍ମ୍ୟାନ୍ ରୋହିତ ଶର୍ମାଙ୍କୁ ଦେଇଛନ୍ତି।
ମ୍ୟାଚ୍ ପରେ ଖବରଦାତା ସମ୍ମିଳନୀରେ ଇଶାନ କହିଛନ୍ତି, ଜଣେ ଯୁବ ଖେଳାଳି ଭଲ ମନୋଭାବରେ ରୁହନ୍ତୁ ବୋଲି ବରିଷ୍ଠ ଖେଳାଳିମାନେ ଚାହାନ୍ତି। ସେ କୋଚ୍ ଦ୍ରାବିଡ ହୁଅନ୍ତୁ ଅବା ବିରାଟ କୋହଲି, ରୋହିତ, ସମସ୍ତେ ଖରାପ ଫର୍ମ ଦେଇ ଗତି କରିଛନ୍ତି। ସେମାନେ ଜାଣନ୍ତି ଯେତେବେଳେ କେହି ଭଲ ଖେଳେ ନାହିଁ କିପରି ଅନୁଭବ କରେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ଖେଳି ପାରି ନ ଥିଲେ। ରୋହିତ ତାଙ୍କର ପ୍ରତିଭା ଏବଂ ଦଳ ପାଇଁ କ’ଣ କରିପାରନ୍ତି ଜାଣିଥିବା କହିଥିଲେ। ଏପରିକି ତାଙ୍କ ଉପରେ ଭରସା ଥିବା, କେବେହେଲେ ତାଙ୍କ କ୍ଷମତା ଉପରେ ସନ୍ଦେହ କରୁଥିବା ନ ଭାବିବାକୁ କହିଥିଲେ। ନେଟ୍ରେ ପ୍ରାକ୍ଟିସ ସମୟରେ କ୍ରିଜ୍ରେ ଥିବା ବେଳେ ଷ୍ଟ୍ରାଇକ୍ ରୋଟେଟ୍ କରିବା ଏବଂ ଗୋଟିଏ ଅଥବା ଦୁଇ ରନ୍ ନେବା ମହତ୍ୱପୂର୍ଣ୍ଣ ବୋଲି କହିଥିଲେ ବୋଲି ଇଶାନ କହିଛନ୍ତି।