Categories: ଖେଳ

ବିଜୟ ହଜାରେ ଟ୍ରଫିରେ ଈଶାନ୍‌ଙ୍କ ଚୌକା-ଛକା ବର୍ଷା, ରେକର୍ଡ କଲା ଝାଡଖଣ୍ଡ

ନୂଆଦିଲ୍ଲୀ,୨୦।୨: ବିଜୟ ହଜାରେ ଟ୍ରଫି-୨୦୨୧ରେ ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଈଶାନ କିଶନ। ଶନିବାର ମଧ୍ୟପ୍ରଦେଶ ବିପକ୍ଷରେ ହୋଲ୍କର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଚଉକା ଛକା ବର୍ଷା କରିଥିଲେ। ୯୪ ବଲ୍‌ରେ ୧୯ ଚୌକା ଏବଂ ୧୧ ଛକା ମାରି ସେ ୧୭୩ ରନ୍‌ କରିଥିଲେ। ଈଶାନଙ୍କ ଏଭଳି ବ୍ୟାଟିଂ ଯୋଗୁ ଝାଡଖଣ୍ଡ ୪୨୨ରନ୍‌ କରିବାରେ ସଫଳ ହୋଇଥିଲା।

ଟସ୍‌ ହାରିବା ପରେ ଝାଡଖଣ୍ଡ ଟିମ୍‌ ପ୍ରଥମେ ବ୍ୟାଟି କରିଥିଲା। ଈଶାନଙ୍କ ସହ ଉତ୍କର୍ଷ ସିଂହ ଓପନିଂ କରିବାକୁ ଆସିଥିଲେ। ହେଲେ ଉତ୍କର୍ଷ ୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ଈଶାନ କୁମାର କୁଶାଗ୍ରଙ୍କ ସହ ଦ୍ୱିତୀୟ ଉଇକେଟ ପାଇଁ ୧୧୩ରନ୍‌ର ଭାଗିଦାରୀ କରିଥିଲେ। ପରେ ତୃତୀୟ ଉଇକେଟ ପାଇଁ ବିରାଟ ସିଂହଙ୍କ ସହ ୧୧୭ରନ୍‌ କରିଥିଲେ। ତାଙ୍କର ବ୍ୟାଟିଂ ଯୋଗୁ ସେ ଦ୍ୱିଶତକ କରିପାରନ୍ତି ବୋଲି ଲାଗୁଥିଲା। ହେଲେ ୨୮ତମ ଓଭରରେ ସେ ନିଜର ଉଇକେଟ ହରାଇଥିଲେ। ପରେ ସୁମିତ କୁମାର(୫୨) ଏବଂ ଅନୁକୂଳ ରାୟଙ୍କ ଦମ୍‌ଦାର ବ୍ୟାଟିଂ ଯୋଗୁ ୫୦ ଓଭରରେ ୯ ଉଇକେଟ ହରାଇ ଦଳ ୪୨୧ ରନ୍‌ କରିଥିଲା। ଏଥିସହ ଦଳ ବିଜୟ ହଜାରେ ଟ୍ରଫି ଇତିହାସରେ ଏଯାବତ୍‌ର ସର୍ବଶ୍ରେଷ୍ଠ ସ୍କୋରର ରେକର୍ଡ କରିବାରେ ସଫଳ ହୋଇଛି।