Categories: ଖେଳ

ଇଶାନ୍ତ, ଜାହିରଙ୍କୁ ପଛରେ ଛାଡ଼ିଲେ ବୁମରା

ବେଙ୍ଗାଲୁରୁ,୧୩।୩: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ହାସଲ କରିଛନ୍ତି ଭାରତୀୟ ପେସର ଯଶପ୍ରୀତ ବୁମରା। କେବଳ ଏତିକି ନୁହେଁ, ସେ ଏହି ଇନିଂସରେ ଶ୍ରୀଲଙ୍କା ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତୀୟ ପେସର ହୋଇପାରିଛନ୍ତି। ୨୮ ବର୍ଷୀୟ ବୁମରା ଇନିଂସରେ ମାତ୍ର ୧୦ ଓଭର ବୋଲିଂ କରି ୪ ମେଡେନ ଓଭର ସହ ୨୪ ରନ୍‌ ଦେଇ ୫ ଉଇକେଟ ହାସଲ କରିଥିଲେ।

ତାଙ୍କ ପୂର୍ବରୁ ଏହି ରେକର୍ଡ ଥିଲା ଭେଟେରାନ ପେସର ଇଶାନ୍ତ ଶର୍ମାଙ୍କ ନାମରେ। ସେ ୨୦୧୫ରେ କଲମ୍ବୋଠାରେ ୫୪ ରନ୍‌ ଖର୍ଚ୍ଚ କରି ୫ ଉଇକେଟ ନେଇଥିଲେ। ଏହି ତାଲିକାରେ ଭେଙ୍କଟଶ ପ୍ରସାଦ ଏବଂ ଜାହିର ଖାନ ଅଛନ୍ତି। ଦୁହେଁ ଯଥାକ୍ରମେ ୨୦୦୧ ଏବଂ ୨୦୦୯ରେ ୭୨ ରନ୍‌ ଦେଇ ୫ ଉଇକେଟ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ, ବୁମରାଙ୍କ ୫ ଉଇକେଟ ସଫଳତା ଯୋଗୁ ଶ୍ରୀଲଙ୍କା ୧୦୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମ ଇନିଂସରେ ୧୪୩ ରନ୍‌ର ଅଗ୍ରଣୀ ହାସଲ କରିଥିବା ଟିମ୍‌ ଇଣ୍ଡିଆ ଏବେ ବିନା କୌଣସି କ୍ଷତିରେ ୧୯ ରନ୍‌ କରିଛି।

Share