ଚେନ୍ନାଇ, ୮ା୨- ଭେଟେରାନ ପେସର ଈଶାନ୍ତ ଶର୍ମା ସୋମବାର କିମ୍ବଦନ୍ତୀ ଭାରତୀୟ ବୋଲରଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଡାନ ଲରେନ୍ସଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରି ଟେଷ୍ଟ କ୍ରିକେଟରେ ୩୦୦ ଉଇକେଟ ପୂରଣ କରିଛନ୍ତି ଈଶାନ୍ତ। ଏହି ସଫଳତା ପାଇବାରେ ସେ ଦେଶର ୬ଷ୍ଠ ଓ ତୃତୀୟ ପେସର।
୩୨ ବର୍ଷୀୟ ପେସର କ୍ୟାରିୟରର ୯୮ ତମ ଟେଷ୍ଟରେ ଏହି ମାଇଲଷ୍ଟୋନରେ ପହଞ୍ଚିଛନ୍ତି। ଭାରତ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ଅନୀଲ କୁମ୍ବଲେ। ତାଙ୍କ ନାମରେ ରହିଛି ୬୧୯ ଉଇକେଟ। ତାଙ୍କ ପଛକୁ ରହିଛନ୍ତି କପିଳ ଦେବ (୪୩୪ ଉଇକେଟ), ହରଭଜନ ସିଂ (୪୧୭), ରବିଚନ୍ଦ୍ରନ ଅଶ୍ୱିନ (୩୮୬ ଚେନ୍ନାଇ ଟେଷ୍ଟକୁ ମିଶାଇ) ଓ ଜାହିର ଖାନ (୩୧୧)।