ପାକିସ୍ତାନର ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଇଶାକ ଡାର

ଇସଲାମାବାଦ,୨୩।୭: ପାକିସ୍ତାନର ଶାସକ ଦଳ ମୁସଲିମ ଲିଗ-ନଓ୍ବାଜ ନିଜର ଅର୍ଥମନ୍ତ୍ରୀ ଇଶାକ ଡାରଙ୍କୁ ଦେଶର ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ କରିବାକୁ ନେଇ ବିଚାର କରୁଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ଏହି ଖବର ସାମ୍ନାକୁ ଆସୁଛି। ସୂଚନାଯୋଗ୍ୟ, ପାକିସ୍ତାନରେ ଶୀଘ୍ର ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପାକିସ୍ତାନର ଶେହବାଜ ସରିଫ ସରକାର ନିର୍ବାଚନ ଆଇନ ୨୦୧୭ ରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯେଉଁଥିପାଇଁ ଇଶାକ ଡାରଙ୍କ ନାମ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଲୋଚନା ହେଉଛି।
ପଡୋଶୀ ଦେଶରେ ମଧ୍ୟ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ପାକିସ୍ତାନ ଆଇଏମଏଫ ସହ ଆଲୋଚନା କରୁଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ସରକାର ଆଇଏମଏଫ ଯୋଜନାରେ ଦେଶରେ ବିଦେଶୀ ପୁଞ୍ଜି ବିନିଯୋଗ ଆଣିବାରେ କୌଣସି ପ୍ରତିବନ୍ଧକ ଚାହୁଁନାହାଁନ୍ତି, ତେଣୁ ନିର୍ବାଚନ ଆଇନରେ ପରିବର୍ତ୍ତନ କରି ମଧ୍ୟବର୍ତ୍ତିକାଳୀନ ସରକାରଙ୍କୁ ଏତେ କ୍ଷମତା ଦିଆଯାଉଛି ଯେ ଆବଶ୍ୟକ ଅର୍ଥନୈତିକ ନୀତି ଏବଂ କାର୍ଯ୍ୟକଳାପ ଜାରି ହୋଇପାରିବ। ଏହି କାରଣରୁ ଅର୍ଥମନ୍ତ୍ରୀ ଇଶାକ ଡାରଙ୍କୁ ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ କରିବା ପାଇଁ ପ୍ରସ୍ତୁତି ଚାଲିଛି। ତେବେ ବର୍ତ୍ତମାନ ପାଇଁ ସରକାରଙ୍କ ସହଯୋଗୀ ପାକିସ୍ତାନ ପିପୁଲ୍ସ ପାର୍ଟିର ସହମତି ଆବଶ୍ୟକ ହେବ।

Share