Categories: ଜାତୀୟ

ନିର୍ବାଚନ ଭଣ୍ଡୁର ଲାଗି ଆଇଏସ୍‌ଆଇ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧୭।୧(ଆଇଏଏନ୍‌ଏସ୍‌): ପଞ୍ଜାବ ଓ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ଚଳାଇଥିବା ଜଣାପଡ଼ିଛି। ସେଥିପାଇଁ ପଞ୍ଜାବରେ ଖଲିସ୍ତାନୀ ସଂଗଠନର ଉପସ୍ଥିତି ବଢ଼ାଇବା ସହ ଏହାର ଆତଙ୍କବାଦୀମାନଙ୍କୁ ସକ୍ରିୟ କରାଉଛି। ପଞ୍ଜାବ ସମେତ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଲାଗି ସେମାନେ ଯୋଜନା କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଖଲିସ୍ତାନୀ ଆତଙ୍କବାଦୀମାନେ ନିର୍ବାଚନୀ ରାଲିବେଳେ ଉପରୋକ୍ତ ରାଜ୍ୟର କେତେଜଣ ଗୁରୁତ୍ୱପୂର୍ଣ୍ଣ ନେତା କିମ୍ବା ଭିଭିଆଇପିଙ୍କୁ ଟାର୍ଗେଟ କରିପାରନ୍ତି। ପଞ୍ଜାବରେ ଖଲିସ୍ତାନୀ ଆନ୍ଦୋଳନକୁ ପୁନଃ ସକ୍ରିୟ କରିବା ଲାଗି ନିର୍ବାଚନକୁ ସେମାନେ ଏକ ସୁଯୋଗ ବୋଲି ବିଚାର କରୁଛନ୍ତି। ଏଥିପାଇଁ ସମସ୍ତ ଛୋଟ ବଡ଼ ଆତଙ୍କବାଦୀ ସଂଗଠନକୁ ନିର୍ବାଚନ ପ୍ରକ୍ରିୟା ଭଣ୍ଡୁର କରିବା ଦିଗରେ କାର୍ଯ୍ୟ କରିବାକୁ ଆଇଏସ୍‌ଆଇ ନିର୍ଦ୍ଦେଶ ଦେଇଛି। ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପରେ କଡ଼ା ନଜର ରଖିବାକୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହିତ ରାଜ୍ୟରେ ଥିବା ଶିଖ୍‌ ଧର୍ମୀୟ ନେତା ଓ ଖ୍ୟାତନାମା ବ୍ୟକ୍ତିମାନଙ୍କ ସହ ସମ୍ପର୍କରେ ରହିବା ଲାଗି କୁହାଯାଇଛି।

Share