Categories: ଜାତୀୟ

ଆତଙ୍କବାଦୀ ନେଟ୍‌ଓ୍ବର୍କରେ ମହିଳା, ନାବାଳିକାଙ୍କୁ ସାମିଲ କରିଛି ଆଇଏସ୍‌ଆଇ

ଶ୍ରୀନଗର, ୧୨ା୬(ପି.ଟି.) : ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ଆତଙ୍କବାଦୀ ସଂଗଠନର ମୁଖ୍ୟମାନେ କଶ୍ମୀରରେ ଥିବା ଆତଙ୍କବାଦୀମାନଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ତଥା ବାର୍ତ୍ତା ପ୍ରେରଣ ଲାଗି ମହିଳା, ନାବାଳିକା ଓ ନାବାଳକମାନଙ୍କୁ ସାମିଲ କରୁଥିବା ସାମ୍‌ନାକୁ ଆସିଛି। ଏହା ଆଇଏସ୍‌ଆଇର ବିପଜ୍ଜନକ ଚାଲ୍‌ ବୋଲି ଶ୍ରୀନଗର ୧୫ କର୍ପସ୍‌ର ଜେନେରାଲ ଅଫିସର କମାଣ୍ଡିଂ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଅମରିଦୀପ୍‌ ସିଂ ଔଜଲା ପ୍ରକାଶ କରିଛନ୍ତି। ସେ କହିଛନ୍ତି କଶ୍ମୀରର ଶାନ୍ତିପୂର୍ଣ୍ଣ ବାତାବରଣରେ ବ୍ୟାଘାତ ସୃଷ୍ଟି ଲାଗି ନିୟନ୍ତ୍ରଣରେଖା ଆରପଟେ ଯୋଜନା ଚାଲିଛି। ଏଥିପାଇଁ ସେନାକୁ ସତର୍କ ରହିବାକୁ ହେବ। କଶ୍ମୀର ମଧ୍ୟକୁ ଅସ୍ତ୍ରଶସ୍ତ୍ର, ବିପଜ୍ଜନକ ନିଶାଦ୍ରବ୍ୟ ଓ ବାର୍ତ୍ତା ପ୍ରେରଣ କରିବାରେ ମହିଳା, ନାବାଳିକା ଓ ନାବାଳକମାନଙ୍କୁ ସାମିଲ କରାଯିବା ଏକ ଭୟାନକ ଧାରା। ଏଭଳି କେତୋଟି ଘଟଣା ସେନା ହାତରେ ଧରାପଡ଼ିଲାଣି। ସେନା ନଜରରୁ ବର୍ତ୍ତିବା ଲାଗି ମୋବାଇଲ୍‌ ପରିବର୍ତ୍ତେ ଓଭରଗ୍ରାଉଣ୍ଡ ଓ୍ବାର୍କର (ସହଯୋଗୀ)ଙ୍କ ଜରିଆରେ ଯୋଗାଯୋଗ ହେଉଛି। ଏଭଳି କେତେଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।

Share