ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ ରାଜି

ଜେରୁଜେଲମ୍‌/ଓ୍ବାଶିଂଟନ,୧୦ା୧୧: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଥିଲା ଏବଂ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି।

ଗାଜାଠାରୁ ଦକ୍ଷିଣ ଇସ୍ରାଏଲ ପର୍ଯ୍ୟନ୍ତ ସୀମା ପାର୍ଶ୍ୱରେ ଥିବା ହମାସ୍‌ ଆକ୍ରମଣର ଜବାବରେ ଇସ୍ରାଏଲ ଅକ୍ଟୋବର ୭ରେ ଏହାର ଆକ୍ରମଣ ଆରମ୍ଭ କରିଥିଲା। ଇସ୍ରାଏଲ କହିଛି, ଗାଜାରେ ଏହାର ୩୫ ସୈନିକ ନିହତ ହୋଇଛନ୍ତି। ପାଲେଷ୍ଟାଇନ୍‌ ଅଧିକାରୀ କହିଛନ୍ତି, ଗୁରୁବାର ସୁଦ୍ଧା ବାୟୁ ଏବଂ ଆର୍ଟିଲିରି ଷ୍ଟ୍ରାଇକ୍‌ରେ ୧୦,୮୧୨ ଗାଜା ବାସିନ୍ଦାଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ପିଲା। ଖାଦ୍ୟ ଏବଂ ଜଳ ଭଳି ମୌଳିକ ସାମଗ୍ରୀ ସରିଯିବା ସହ ଗୁଳି ବିନିମୟ ହେତୁ ସାଧାରଣ ନାଗରିକ ସେମାନଙ୍କ ଘରୁ ବିସ୍ଥାପିତ ହୋଇଥିବାରୁ ଏକ ମାନବିକ ବିପର୍ଯ୍ୟୟ ଘଟିଛି।

ଇସ୍ରାଏଲ ସୈନ୍ୟ କହିଛନ୍ତି, ଏହାର ପ୍ରମାଣ ଅଛି ଯେ, ହମାସ୍‌ ଅଲ୍‌ ଶିଫା ଏବଂ ଇଣ୍ଡୋନେସିଆ ହସ୍ପିଟାଲ ଭଳି ଅନ୍ୟ ଡାକ୍ତରଖାନାଗୁଡ଼ିକୁ ଗାଜା ଅଧୀନରେ ଥିବା ଏକ ବ୍ୟାପକ ଟନେଲ ନେଟ୍‌ଓ୍ବାର୍କରେ କମାଣ୍ଡ ପୋଷ୍ଟ ଏବଂ ପ୍ରବେଶ ପଏଣ୍ଟ ଲୁଚାଇବା ପାଇଁ ବ୍ୟବହାର କରନ୍ତି। ଶରଣାର୍ଥୀ ଶିବିର, ମେଡିକାଲ କନଭେନ ଏବଂ ଡାକ୍ତରଖାନା ନିକଟରେ ସାଂଘାତିକ ଏୟାର ଷ୍ଟ୍ରାଇକ୍‌ ଇସ୍ରାଏଲର ପାଶ୍ଚାତ୍ୟ ସହଯୋଗୀମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ନିୟମକୁ ପାଳନ କରିବା ନେଇ ବିବାଦ ସୃଷ୍ଟି କରିସାରିଛି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, ଆତଙ୍କବାଦୀ ଏବଂ ସାଧାରଣ ନାଗରିକଙ୍କୁ ପୃଥକ୍‌ କରିବା ଏବଂ ଅନ୍ତର୍ଜାତୀୟ ନିୟମକୁ ସମ୍ପୂର୍ଣ୍ଣରୂପେ ପାଳନ କରିବା ଇସ୍ରାଏଲର କର୍ତ୍ତବ୍ୟ। ଉତ୍ତର ଗାଜାର କିଛି ଅଂଶରେ ଦିନକୁ ୪ ଘଣ୍ଟା ପାଇଁ ସାମରିକ କାର୍ଯ୍ୟ ବନ୍ଦ କରିବାକୁ ଇସ୍ରାଏଲ ରାଜି ହୋଇଛି, କିନ୍ତୁ ଉପକୂଳବର୍ତ୍ତୀ ଏନକ୍ଲେଭ୍‌କୁ ଧ୍ୱଂସ କରି ଦେଇଥିବା ଯୁଦ୍ଧର ସମାପ୍ତ ହେବାର କୌଣସି ଚିହ୍ନ ନାହିଁ।

Share