୧୧ ଦିନ ପରେ ଥମିଲା ଯୁଦ୍ଧ!

ତେଲ ଅଭିଭ୍‌,୨୧।୫: ଗତ ୧୧ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷରେ ଶାନ୍ତ ପଡିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସୁରକ୍ଷା ମନ୍ତ୍ରିମଣ୍ଡଳ ଘାଜା ଅଞ୍ଚଳରେ ୧୧ ଦିନ ଧରି ଚାଲିଥିବା ସାମରିକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏକପାଖିଆ ଅସ୍ତ୍ରବିରତି ମଞ୍ଜୁର କରିଛି। ଇସ୍ରାଏଲ ଗଣମାଧ୍ୟମ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ଏହି ସୂଚନା ଦିଆଯାଇଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଆକ୍ରମଣକୁ ରୋକିବା ପାଇଁ ଆମେରିକାର ଚାପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅନେକ ରିପୋର୍ଟରେ କୁହାଯାଇଛି ଯେ ଏହି ନିଷ୍ପତ୍ତିର ତିନି ଘଣ୍ଟା ପରେ ରାତି ଦୁଇଟାରୁ ଅସ୍ତ୍ରବିରତି ଲାଗୁ ହେବ। ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ତୁରନ୍ତ ଏହି ରିପୋର୍ଟକୁ ନିଶ୍ଚିତ କରି ନାହିଁ ଏବଂ ହମାସ ମଧ୍ୟ ଏହାର ଜବାବ ଦେଇ ନାହିଁ।
ଶୁକ୍ରବାର ଦିନ ୨ଟାରୁ ଇସ୍ରାଏଲ ସହ ଯୁଦ୍ଧବିରାମ ଲାଗୁ କରାଯିବ ବୋଲି ହମାସ ଜଣେ ଅଧିକାରୀ କହିଛନ୍ତି। ଇସ୍ରାଏଲ କ୍ୟାବିନେଟ ଅସ୍ତ୍ରବିରତି ଘୋଷଣା କରିଛି କିନ୍ତୁ ଏହାର କାର୍ଯ୍ୟକାରିତା ପାଇଁ ସମୟ ଦେଇନାହିଁ।

Share