ମହିଳାଙ୍କ ଉଲଗ୍ନ ମୃତଦେହ ଧରି ପରେଡ କଲା ହମାସ୍‌, ମୃତଦେହ ଫେରାଇବାକୁ ନିବେଦନ କଲେ ମା’

ତେଲ ଅଭିଭ,୮।୧୦: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍‌ ମଧ୍ୟରେ ଘମାଘୋଟ ଲଡେଇ ଲାଗି ରହିଛି। ଯୁଦ୍ଧକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ଆକ୍ରମଣର ଭାଇରାଲ ହେଉଥିବା ଭିଡିଓଗୁଡିକ ବିସ୍ମୟଜନକ ଓ ଲୋମଟାଙ୍କୁରା। ଗୋଟିଏ ଭିଡିଓରେ ଦେଖାଯାଉଛି କି, ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଧରି ଗାଜାରେ ହାମାସ ଆତଙ୍କବାଦୀଙ୍କ ଦ୍ୱାରା ପରେଡ କରାଯାଇଥିଲା। ତେବେ ଏପରି ଲୋମହର୍ଷଣକାରୀ ଭିଡିଓ ଦେଖିଲେ ଛାତିଥରି ଯିବ।

ତେବେ ସୋସିଆଲ ମିଡିଆରେ ଘୁରୁଥିବା ଏକ ଭିଡିଓରେ ଦେଖାଯାଇଥିଲା କି, ପିକଅପ ଟ୍ରକରେ ଜଣେ ମହିଳାଙ୍କ ମୃତ ଶରୀର ଉଲଗ୍ନ ଅବସ୍ଥାରେ ରହିଛି। ଏହି ଟ୍ରକରେ ହାମାସ ଆତଙ୍କବାଦୀମାନେ ମହିଳାଙ୍କ ମୃତଦେହକୁ ଗାଜାକୁ ନେଇ ଯାଇଥିଲେ। ମୃତଦେହ ଜଣେ ଇସ୍ରାଏଲ ମହିଳାଙ୍କ ବୋଲି ହମାସ୍‌ ଆତଙ୍କବାଦୀମାନେ ଦାବି କରିଛନ୍ତି। ୩୦ବର୍ଷିୟା ମହିଳା ଜଣକ ହେଲେ ଜର୍ମାନ ନାଗରିକ ଶନି ଲୌକ। ଶନି ଜଣେ ଟାଟୁ କଳାକାର। ସେ ଗାଜା ନିକଟରେ ଏକ ସଂଗୀତ ଉତ୍ସବରେ ଯୋଗଦେବାକୁ ଆସିଥିଲେ। ତେବେ ହମାସ୍‌ଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଶନିଙ୍କ ମା’ଙ୍କର ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଶନିଙ୍କ ମା ହାମାସ ଆତଙ୍କବାଦୀଙ୍କୁ ଝିଅର ମୃତଦେହ ଫେରାଇବାକୁ ନିବେଦନ କରୁଥିବା ନଜର ଆସିଛନ୍ତି।

Share