ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌ ମାଡ କରିଛି। ଇସ୍ରାଏଲ ସେନା ପକ୍ଷରୁ ଏହି ଦାବି କରାଯାଇଛି। ଲେବାନୀୟ ଅଧିକାରୀ କହିଛନ୍ତି, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୪୦୦ ଲୋକ ଆହତ ହୋଇଛନ୍ତି।

ସେପ୍ଟେମ୍ବର ୨୦ରେ ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ ଥରି ଉଠିଥିବାବେଳେ ଇସ୍ରାଏଲ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ ଆକ୍ରମଣ କରାଯାଇଥିଲା। ଇସ୍ରାଏଲୀ ସେନା ଯୁଦ୍ଧବିମାନରୁ ଲେବାନନ୍‌ର ଅନେକ ସ୍ଥାନରେ ଏୟାରଷ୍ଟ୍ରାଇକ କରିଥିଲା। ବିଶେଷକରି ଦକ୍ଷିଣ ଲେବାନନର ଚିଚିନେ, ତୟିବେ, ମେଇସ ଏଲ ଜବାଲ, ଅଇଟାରୋନ ଏବଂ କେଫରକେଲା ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା।

୨୦୨୩ ଅକ୍ଟୋବର ୭ ପରଠାରୁ ଇସ୍ରାଏଲ୍ର ଗାଜା ଆକ୍ରମଣ ଜାରି ରହିଥିବାବେଳେ ହମାସ ସମର୍ଥକ ୫୫୦ ହେଜ୍‌ବୋଲ୍ଲା ଫାଇଟର୍ସଙ୍କ ମୃତ୍ୟୁ ଘଟିଲାଣି। ପେଜର ଆକ୍ରମଣରେ ଅନେକ ସଦସ୍ୟଙ୍କୁ ହରାଇଥିବା ଏହି ସଙ୍ଗଠନ ଏବେ ଇସ୍ରାଏଲ୍କୁ ଆକ୍ରମଣର ଖୋଲା ଧମକ ଦେଇଛି।

 

Share