ହମାସର ବିମାନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଆମେରିକା ଖବରଦାତା

ଜେରୁଜେଲମ,୧୦।୧୦: ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲରେ ପ୍ରବେଶ କରିବା ପରେ ରାସ୍ତାରେ ଖୋଲାଖୋଲି ଭାବେ ଗୁଳି ଚଳାଇଥିଲା ଏବଂ ଏୟାର ଷ୍ଟ୍ରାଇକ ମଧ୍ୟ କରିଥିଲା ଯେଉଁଥିରେ ଏପର୍ଯ୍ୟନ୍ତ ପ୍ରାୟ ୯୦୦ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ଘଟିଲାଣି। ଏହି ଆକ୍ରମଣର ଭୟ କାରଣରୁ ଲୋକମାନେ ନିଜ ଘରେ ଲୁଚି ରହିବାକୁ ବାଧ୍ୟ ହୋଇଥିବାବେଳେ ଆମେରିକୀୟ ନ୍ୟୁଜ ଚ୍ୟାନେଲର ଖବରଦାତା ଏବଂ ତାଙ୍କ ଟିମ ଏହି ଆକ୍ରମଣକୁ ଅତି ନିକଟରୁ ଦେଖିଛନ୍ତି।

ଆମେରିକାର ନ୍ୟୁଜ ଚ୍ୟାନେଲ ସିଏନଏନ ପାଇଁ ମୁଖ୍ୟ ଅନ୍ତର୍ଜାତୀୟ ଖବରଦାତା କ୍ଲାରିସା ୱାର୍ଡ ଏକ ଲାଇଭ ସେଗମେଣ୍ଟ ମଧ୍ୟରେ ଥିଲେ ଯେତେବେଳେ ସେ ରକେଟର ଉଚ୍ଚ ସ୍ବର ଶୁଣିଥିଲେ। ସେ ଏହି ଶବ୍ଦ ଶୁଣିବା ମାତ୍ରେ ସେ ତାଙ୍କର ତିନି ସାଙ୍ଗଙ୍କ ସହ ରାସ୍ତା କଡ଼କୁ ଯାଇ ଲୁଚି ରହିଲେ। ଏହି ସମୟରେ କ୍ୟାମେରାମ୍ୟାନ ଶୁଣିବାକୁ ପାଇଥିଲେ, ‘ଠିକ ଅଛି, ଠିକ ଅଛି।’
ଖବରଦାତା ୱାର୍ଡ ତାଙ୍କ ଅବସ୍ଥା ପାଇଁ ସିଏନଏନ ଟିମକୁ କ୍ଷମା ମାଗି ସେଠାରେ ଥିବା ଦୃଶ୍ୟକୁ ବର୍ଣ୍ଣନା କରିଥିଲେ। ସେ କହିଛନ୍ତି, ‘ଆମେ ଏଠାରେ ବହୁ ସଂଖ୍ୟକ ରକେଟ ଆସୁଥିବାର ଦେଖୁଛୁ। ଏହା ଆମଠାରୁ ବେଶି ଦୂରରେ ନୁହେଁ, ତେଣୁ ଲୁଚିବା ପାଇଁ ଆମକୁ ରାସ୍ତା କଡ଼କୁ ଆସିବାକୁ ପଡ଼ିଲା। ଆମେରିକୀୟ ଖବରଦାତା କହିଛନ୍ତି ଯେ ସେମାନେ ରକେଟଠାରୁ ମାତ୍ର ପାଞ୍ଚ ମିନିଟ ସମୟ ଦୂରରେ ଥିଲେ।

Share