ଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣ: ୪୫ ଜଣଙ୍କର ମୃତ୍ୟୁ, ୧୭ ଦିନ ପୂର୍ବରୁ ଜନ୍ମ ହୋଇଥିବା ଶିଶୁର ବି ଗଲା ଜୀବନ

ଜେରୁଜେଲମ,୨୦।୧୦: ବର୍ତ୍ତମାନ ବିଶ୍ୱ ଦୁଇଟି ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଅନ୍ୟ ପଟେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ। ଅକ୍ଟୋବର ୭ରେ ଗାଜା ସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ହମାସ ଦ୍ୱାରା ଇସ୍ରାଏଲ ଉପରେ ୫ ହଜାର ରକେଟ ଗୁଳି ଚଳାଇଥିଲା। ଯେଉଁଥିରେ ଅନେକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ। ହମାସ ଆତଙ୍କବାଦୀମାନେ ଗାଜା ସହିତ ଇସ୍ରାଏଲ ସୀମାରେ ଥିବା ବାଡ ଭାଙ୍ଗି ଇସ୍ରାଏଲ ସହରରେ ପହଞ୍ଚିଥିଲେ, ଏହା ପରେ ବହୁ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ରଖାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ ଦ୍ୱାରା ଅନେକ ଆତଙ୍କବାଦୀ ନିହତ ହୋଇଥିଲେ। ଗାଜା ଷ୍ଟ୍ରିପରେ ଇସ୍ରାଏଲର ସେନା କାର୍ଯ୍ୟ ଜାରି ରହିଛି। ମଙ୍ଗଳବାର ଇସ୍ରାଏଲର ସେନା ଗାଜାର ଉତ୍ତରରେ ଥିବା ଦୁଇଟି ଡାକ୍ତରଖାନା ଉପରେ ଆକ୍ରମଣ କରିଛନ୍ତି। ଏହି ସମୟରେ ଅନେକ ସନ୍ଦିଗ୍ଧ କର୍ମଚାରୀଙ୍କୁ ଅଟକ ରଖାଯାଇଛି। ଏହା ଉପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆମେ ହମାସର ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ଭାବେ ହଟାଇବା ପାଇଁ କାର୍ଯ୍ୟ କରୁଛୁ।

ଇସ୍ରାଏଲ ମଙ୍ଗଳବାର ଦକ୍ଷିଣ ଗାଜାର ସହରଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ କରିଛି। ଯେଉଁଥିରେ ଅତି କମ୍‌ରେ ୪୫ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗେଲେଣ୍ଟ ଚେତାବନୀ ଦେଇଛନ୍ତି ଯେ, ଗାଜାର ଦକ୍ଷିଣରେ ଏହି ଅଭିଯାନ ଜାରି ରହିବ। ଦକ୍ଷିଣ ସହର ରାଫାର ଡାକ୍ତରଖାନାରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ସେଥିରୁ ଜଣେ ପିଲା ମାତ୍ର ଦୁଇ ସପ୍ତାହ ତଳେ ଜନ୍ମ ହୋଇଥିଲା ।

Share