ଆକାଶରୁ ବର୍ଷୁଛି ବୋମା…ଗାଜାର ଡାକ୍ତରଖାନାରେ ନାହିଁ ବିଜୁଳି, ମୋବାଇଲ ଟର୍ଚ୍ଚରେ କରାଯାଉଛି ଅପରେଶନ

ଜେରୁଜେଲମ,୨୦।୧୦: ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଗାଜାର ସ୍ଥିତି ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି। ବିଶେଷକରି ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମେଡିକାଲ ସୁବିଧା ଉପଲବ୍ଧ ହୋଇପାରୁନାହିଁ। ଅନେକ ବିଭାଗ ବିଜୁଳି ବିନା ଚାଲୁଥିବା ବେଳେ ଡାକ୍ତରଖାନାରେ ମୋବାଇଲ ଲାଇଟ୍‌ ପାଲଟିଛି ସାହାରା। ଗୁରୁତର ଆହତ ରୋଗୀଙ୍କ ଲାଗି ଆଇସିୟୁ ଏବଂ ଭେଣ୍ଟିଲେଟରର ଅଭାବ ସ୍ଥିତିକୁ ସଙ୍ଗୀନ କରିଛି। ଆସୋସିଏଟେଡ୍‌ ପ୍ରେସର ଏକ ଭିଡିଓ ଫୁଟେଜ୍‌ରେ ମେଡିକାଲ ଷ୍ଟାଫ୍‌ମାନେ ଟର୍ଚ୍ଚ ଆଲୁଅରେ ଚିକିତ୍ସା କରୁଥିବା ଦେଖାଯାଇଛି।

ଦକ୍ଷିଣ ଇସ୍ରାଏଲରେ ହମାସର ବିନାଶକାରୀ ଆକ୍ରମଣ ପରେ ପ୍ରାୟ ଦୁଇ ସପ୍ତାହ ଧରି ଗାଜା ଉପରେ ଲାଗାତାର ପ୍ରତି ଆକ୍ରମଣ ଜାରି ରହିଛି। ଇସ୍ରାଏଲ ପାଲେଷ୍ଟାଇନମାନଙ୍କୁ ଉତ୍ତର ଗାଜାକୁ ଖାଲି କରି ଦକ୍ଷିଣ ପଟକୁ ଯିବା ଲାଗି କହିଛି। ଏହାସତ୍ତ୍ୱେ ଜନବହୁଳ ଏହି ଅଞ୍ଚଳରେ ରାତି ସାରା ଆକ୍ରମଣ କରାଯାଉଛି। ସେହିଭଳି ଆକ୍ରମଣରେ ଗୁରୁତର ଆହତ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ହମାସ ଦ୍ୱାରା ସଂଚାଳିତ ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ୩,୭୮୫ ପାଲେଷ୍ଟାଇନ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨,୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲରେ ମଧ୍ୟ ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଯଇଛି।

Share