୧୦ ମାସର ଯମଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ହମାସ ଆକ୍ରମଣକାରୀଙ୍କ ସହ ଲଢିଲେ ମା’-ବାପା: ଶେଷରେ…

ଜେରୁଜେଲମ,୧୩।୧୦: ନିଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ମା’-ବାପା ସବୁକିଛି କରିପାରନ୍ତି। ଏହାର ନିଚ୍ଛକ ଉଦାହରଣ ଇସ୍ରାଏଲ-ହମାସ ଯୁଦ୍ଧରେ ଦେଖିବାକୁ ମିଳିଛି। ୧୦ ମାସର ଯମଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ହମାସ ଆକ୍ରମଣକାରୀଙ୍କ ସହ ଲଢି ପ୍ରାଣ ହରାଇଛନ୍ତି ମା’-ବାପା। ଗାଜା ଷ୍ଟ୍ରିପଠାରୁ ତିନି କିଲୋମିଟର ଦୂରରେ ଥିବା ଇସ୍ରାଏଲର କିବବୁଟ ସହରରେ ଏହି ଘଟଣା ଘଟିଛି।
ଇସ୍ରାଏଲର ଇଟାଇ ବର୍ଡିଚେଭସ୍କି ଏବଂ ହାଡର ବର୍ଡିଚେଭସ୍କି ସେମାନଙ୍କ ଯମଜ ପିଲାଙ୍କ ସହ ଥିଲେ। ଏହି ସମୟରେ ହମାସ ଆତଙ୍କବାଦୀମାନେ ତାଙ୍କ ଘରେ ପଶିଥିଲେ। ସେମାନେ ନିଆଁ ଲଗାଇ ଘରେ ଭଙ୍ଗାରୁଜା କରିଥିଲେ। ଏହା ପରେ ଆତଙ୍କବାଦୀମାନେ ନିରୀହ ପିଲାମାନଙ୍କ ଆଡକୁ ଯାଇଥିଲେ। ଏହା ଦେଖି ମା’ବାପା ସେମାନଙ୍କୁ ଅଟକାଇ ଥିଲେ। ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟ ମଧ୍ୟରେ ଆତଙ୍କବାଦୀଠାରୁ ନିଜ ପିଲାମାନଙ୍କୁ ଲୁଚାଇ ରଖିଥିଲେ। ବହୁ ସଂଘର୍ଷ ପରେ ଆତଙ୍କବାଦୀମାନେ ମା’ବାପାଙ୍କୁ ଗୁଳି କରିଥିଲେ। କିଛି ସମୟ ପରେ ଇସ୍ରାଏଲ ସୈନିକମାନେ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରିଥିଲେ। ଯମଜ ଶିଶୁମାନଙ୍କୁ ସେମାନଙ୍କ ଜେଜେବାପାଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ହମାସ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ ପରେ ଉଭୟ ପଟୁ ଯୁଦ୍ଧ ତୀବ୍ରତର ହେଉଛି। ଗାଜାର ସୀମାକୁ ପୁଣି ଥରେ ନିଜ ଅଧିନକୁ ଇସ୍ରାଏଲ ନେଇଥିବା ଘୋଷଣା କରିଛି।

Share