ସୀମା ସିଲ୍ କଲା ଇସ୍ରାଏଲ

ଜେରୁଜେଲମ,୨୮ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏବେସାରା ବିଶ୍ୱରେ ଚିନ୍ତାର ବିଷୟ ପାଲଟିଛି । ଏହା ଡେଲ୍ଟା ଭାରିଏଣ୍ଟ ଠାରୁ ମାରାତ୍ମକ ବୋଲି କୁହାଯାଉଥିବା ବେଳେ ଦ୍ରୁତ ଗତିରେ ବ୍ୟାପୁଛି ବୋଲି ଜଣାପଡିଛି । ଏହାକୁ ନଜରରେ ରଖି ଇସ୍ରାଏଲ ତା’ର ସୀମାକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରି ଦେଇଛି । ବିଦେଶୀରୁ କେହି ଯାତ୍ରୀ ଏବେ ଇସ୍ରାଏଲ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ଏମିତି କରିବାରେ ଇସ୍ରାଏଲ ପ୍ରଥମ ଦେଶ ପାଲଟିଛି । ଏହାସହ କରୋନାର ନୂଆ ଭାରିଏଣ୍ଟକୁ ରୋକିବାକୁ ଇସାଏଲ ଆତଙ୍କବାଦ ବିରୋଧି ଫୋନ ଟ୍ରାକିଂ ଟେକନିକ ପ୍ରୟୋଗ କରିବ ବୋଲି କହିଛି ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫ୍‌ତାଲି ବେନେଟ କହିଛନ୍ତି ୧୪ ଦିନ ପାଇଁ ଦେଶର ସୀମାକୁ ସିଲ୍ କରାଯାଇଛି । ଏହି ୧୪ ଦିନ ମଧ୍ୟରେ ବିଶେଷଜ୍ଞମାନେ ନୂଆ ଭାରିଏଣ୍ଟ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିଦେଇଥିବେ । ଏହାଠାରୁ କିପରି ଦୂରେଇ ରହିହେବ ଅଥବା ଏହାର ଚିକିତ୍ସା କିପରି କରାଯିବ ଇତ୍ୟାଦି । ତେଣୁ ସେପର୍ଯ୍ୟନ୍ତ ଦେଶର ସୀମାକୁ ସିଲ କରାଯାଇଛି । ରବିବାର ରାତିରୁ ଏହା ଲାଗୁ କରାଯିବ ।

Share