ନ୍ୟାୟିକ ସୁଧାର ଆଇନକୁ ନେଇ ତୀବ୍ର ହୋଇପାରେ ବିରୋଧ ପ୍ରଦର୍ଶନ, ଶାନ୍ତି ପାଇଁ ଜନତାଙ୍କୁ ଅପିଲ କଲେ ରାଷ୍ଟ୍ରପତି

ଜେରୁଜେଲମ,୨୮।୭: ଇସ୍ରାଏଲ ସଂସଦ ସୋମବାର ଅର୍ଥାତ୍‌ ଜୁଲାଇ ୨୪ରେ ବିବାଦସ୍ପଦ ନ୍ୟାୟିକ ସୁଧାର ବିଲକୁ ଆଇନର ରୂପ ଦେଇଦେଇଛନ୍ତି। ଏହି ବିଧେୟକକୁ ଶାସକ କଟ୍ଟର ଦକ୍ଷିଣପନ୍ଥି ମେଣ୍ଟର ସମସ୍ତ ୬୪ ସାଂସଦ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏପଟେ ବିରୋଧି ସାଂସଦମାନେ ଏହାକୁ ବହିଷ୍କାର କରିଛନ୍ତି।

ଚଳିତ ବର୍ଷ ଆରମ୍ଭରୁ ଇସ୍ରାଏଲରେ ବିବାଦୀୟ ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ ଚାଲିଛି। ବିକ୍ଷୋଭକାରୀମାନେ ଦାବି କରିଛନ୍ତି ଯେ ଏହି ବ୍ୟବସ୍ଥା ଇସ୍ରାଏଲର ନ୍ୟାୟପାଳିକାର କ୍ଷମତାକୁ ହ୍ରାସ କରିବ। ସମସ୍ତ କ୍ଷମତା ସରକାରଙ୍କ ନିକଟକୁ ଆସିବ, ଯେଉଁଥିପାଇଁ ଏହା ସ୍ବାଧୀନ ହେବ। ଆଗାମୀ ସମୟରେ ପ୍ରଦର୍ଶନକୁ ଆହୁରି ତୀବ୍ର କରିବାକୁ ସେମାନେ ଶପଥ ନେଇଛନ୍ତି, ଯାହାକୁ ଦୃଷ୍ଟିରେ ରଖି ଶାନ୍ତି ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।
ରାଷ୍ଟ୍ରପତି ଆଇଜାକ ହେର୍ଜୋଗ ଫେସବୁକରେ କହିଛନ୍ତି, ମୁଁ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରୁଛି। ବିବାଦର ସୀମା ରକ୍ଷା କରିବା ଏବଂ ହିଂସା ଠାରୁ ଦୂରେଇ ରହିବା ଆବଶ୍ୟକ।

Share