ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଲେ-‘ଯୁଦ୍ଧରେ ଆମେ ଜିତିବୁ’

ଜେରୁଜେଲମ୍‌,୭।୧୦: ଗୋଟିଏ ପଟେ ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇସ୍ରାଏଲ୍‌ ଉପରେ ଆତଙ୍କବାଦୀ ସଂଗଠନ ହମାସ ଯୁଦ୍ଧ ଆରମ୍ଭ କରିଛି। ପ୍ରଥମେ ହମାସ ପକ୍ଷରୁ ୫ ହଜାରରୁ ଅଧିକ ରକେଟ ମାଡ଼ କରାଯିବା ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସୈନ୍ୟ ମୁଖ୍ୟାଳୟରେ ମନ୍ତ୍ରୀମଣ୍ଡଳ ବୈଠକ ପରେ ସେ ଚେତାବନୀ ଦେଇ କହିଛନ୍ତି ଯେ ଶନିବାର ସକାଳେ ଦକ୍ଷିଣ ଏବଂ ମଧ୍ୟ ଇସ୍ରାଏଲ୍‌ରେ ରକେଟ ମାଡ କରି ହମାସ ବଡ଼ ଭୁଲ କରିଛି। ଏହି ଯୁଦ୍ଧରେ ଇସ୍ରାଏଲ ହିଁ ଜିତିବ।

ଗାଜା ଉପରେ ଶାସନ କରୁଥିବା ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବର୍ଷ ବର୍ଷ ଧରି ତିକ୍ତତା ଲାଗି ରହିଥିଲା। ହେଲେ ଶନିବାର ୨୦ ମିନିଟ୍‌ରେ ୫ହଜାରରୁ ଅଧିକ ରକେଟ ମାଡ଼କୁ ନେଇ ଦେଶବାସୀ ଭୟରେ ରହିଛନ୍ତି। ହମାସର ବନ୍ଧୁକଧାରୀମାନେ ମଧ୍ୟ ଅନେକ ସ୍ଥାନରେ ସୀମା ଡେଇଁ ଇସ୍ରାଏଲ୍‌ରେ ପସିବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ଇସ୍ରାଏଲ ମଧ୍ୟ ନିଜ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛି। ତେବେ ହମାସର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଆହତ ହୋଇଛନ୍ତି।

Share