Advertisement

ମାସ୍କର ଦାମ ୧୧ କୋଟି

ମୋତ୍ଜା,୧୦।୮: କରୋନା ସଂକ୍ରମଣକୁ ରୋକିବାକୁ ସମସ୍ତ ବିକାଶଶୀଳ ଦେଶ ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କିନ୍ତୁ କହୁଛି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ। ମାସ୍କ ହିଁ ଆମକୁ ଅନେକାଂଶରେ କରୋନା ସଂକ୍ରମଣରୁ ରକ୍ଷା କରିପାରିବ। ଇତିମଧ୍ୟରେ ଏବେ ଖବର ଆସିଛି କି ଇସ୍ରାଏଲର ଜଣେ ଜୁଏଲରୀ ମେକର ବିଶ୍ୱର ସବୁଠାରୁ ଦାମି ମାସ୍କ ତିଆରି କରୁଛନ୍ତି। ଏହାର ଦାମ ରହିଛି ୧.୫ ମିଲିୟନ ଡଲାର ବା ୧୧ କୋଟି ଟଙ୍କା। ଏମିତି ଏକ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ମାସ୍କଟି ସୁନା ଓ ହୀରାରେ ପ୍ରସ୍ତୁତ କରାଯାଉଥିବା ବେଳେ ଏଥିରେ N-95 ଫିଲଟର ବି ଲଗାଯିବ ବୋଲି କୁହାଯାଉଛି। ଇସ୍ରାଏଲର ଗହଣା ତିଆରି କରୁଥିବା ଏକ କମ୍ପାନୀ ଦାବି କରିଛି ଯେ କରୋନା ଭାଇରସଠାରୁ ଦୂରେଇ ରହିବାକୁ ପ୍ରସ୍ତୁତ କରାଯାଇଥିବା ମାସ୍କ ମଧ୍ୟରେ ଏହା ସବୁଠାରୁ ଦାମୀ ମାସ୍କ। ଏହି ମାସ୍କର ଡିଜାଇନର ଇସ୍କ ଲେବି କହିଛନ୍ତି ଏହା ୧୮ କ୍ୟାରେଟ ସୁନାରେ ତିଆରି କରାଯାଉଛି ଓ ଏଥିରେ ୩,୬୦୦ କଳା ଓ ଧଳା ହୀରା ଲାଗିଛି। ଏହାର ଓଜନ ରହିଛି ୨୭୦ ଗ୍ରାମ। ଯାହା ଏକ ସାଧାରଣ ମାସ୍କର ଓଜନଠାରୁ ଶହେ ଗୁଣା ଅଧିକ। ଜଣେ ଗ୍ରାହକଙ୍କ ବରାଦ ଅନୁଯାୟୀ ଏହି ମାସ୍କ ତିଆରି କରାଯାଉଛି। ଏମିତି ଆଉ ୨ଟି ମାସ୍କ ମଧ୍ୟ ଉକ୍ତ ଗ୍ରାହକ ବରାଦ ଦେଇଥିବା କହିଛନ୍ତି ଲେବି। ଏହି ମାସ୍କ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଓ ଏହା ବିଶ୍ୱର ସବୁଠାରୁ ଦାମୀ ମାସ୍କ ହେବ। ତେବେ ଗ୍ରାହକଙ୍କ ନାମ କହିବାକୁ ଲେବି ମନା କରିଦେଇଥିବା ବେଳେ ସେ କେବଳ କହିଛନ୍ତି ଗ୍ରାହକ ଜଣକ ଆମେରିକାରେ ରହୁଥିବା ଜଣେ ଚାଇନା ଉଦ୍ଦ୍ୟୋଗ ପତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel