Categories: ଜାତୀୟ

ପ୍ରତିଦିନ ଇସ୍ରୋ ଉପରେ ହେଉଛି ୧୦୦ରୁ ଅଧିକ ସାଇବର ଆକ୍ରମଣ: ଏସ୍‌ ସୋମନାଥ

କୋଚି,୮।୧୦: ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ସହ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଉଛି। ଏଥିରୁ ବାଦ୍‌ ପଡ଼ିନାହିଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)। ଦେଶର ଏହି ସ୍ପେସ୍‌ ଏଜେନ୍ସିର ସଫ୍ଟୱେୟାର ଉପରେ ପ୍ରତିଦିନ ୧୦୦ ରୁ ଅଧିକ ସାଇବର ଆକ୍ରମଣ ହୋଇଥାଏ। ରକେଟ ଟେକ୍ନୋଲୋଜିରେ ସାଇବର ଆକ୍ରମଣର ସମ୍ଭାବନା ବହୁତ ଅଧିକ । କାରଣ ଏଥିରେ ଉନ୍ନତ ସଫ୍ଟୱେର୍‌ ଏବଂ ଚିପ୍ସ ବ୍ୟବହୃତ ହୁଏ। ଏହି ବିପଦ ଯେତେ ବଡ଼ ହେଉନା କାହିଁକି, ଇସ୍ରୋ ଏଭଳି ଆକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ। ଆମର ସିଷ୍ଟମ ସାଇବର ସୁରକ୍ଷା ନେଟୱାର୍କ ସହିତ ସଜ୍ଜିତ। ଏହାକୁ କେହି ବି ଭେଦ କରିପାରିବେ ନାହିଁ ବୋଲି ଶନିବାର କେରଳର କୋଚିଠାରେ ଆୟୋଜିତ ଦୁଇ ଦିନିଆ ଆନ୍ତର୍ଜାତୀୟ ସାଇବର ସମ୍ମିଳନୀରେ ଯୋଗଦେଇ ଇସ୍ରୋ ମୁଖ୍ୟ ଏସ ସୋମନାଥ ଏହା କହିଛନ୍ତି।

ଇସ୍ରୋ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ସଫ୍ଟୱେର୍‌ ବ୍ୟତୀତ ଇସ୍ରୋ ରକେଟ ଭିତରେ ଥିବା ହାର୍ଡୱେର୍‌ ଚିପ୍ସର ସୁରକ୍ଷା ଉପରେ ଧ୍ୟାନ ଦେଇ ବିଭିନ୍ନ ପରୀକ୍ଷଣରେ ଆଗକୁ ବଢ଼ୁଛି। ପୂର୍ବରୁ ଏକ ସମୟରେ ଗୋଟିଏ ଉପଗ୍ରହକୁ ନଜର ରଖାଯାଉଥିଲା, ହେଲେ ବର୍ତ୍ତମାନ ଏକ ସମୟରେ ଅନେକ ଉପଗ୍ରହ ଉପରେ ନଜର ରଖାଯାଉଛି। ଏହା ଏହି କ୍ଷେତ୍ରର ଅଭିବୃଦ୍ଧିକୁ ଦର୍ଶାଉଛି। ତେବେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ସାହାଯ୍ୟ କରୁଥିବା ଉପଗ୍ରହ ମଧ୍ୟ ରହିଛି, ଯାହା ସାଇବର ଆକ୍ରମଣର ଶିକାର ହେଉଛି। ଏସବୁ ବିଭିନ୍ନ ପ୍ରକାରର ସଫ୍ଟୱେର୍‌ ଦ୍ୱାରା ନିୟନ୍ତ୍ରିତ। ଏଣୁ ଏସବୁର ସୁରକ୍ଷା ପାଇଁ ସାଇବର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଉନ୍ନତ ଜ୍ଞାନକୌଶଳ ବରଦାନ ଏବଂ ବିପଦ ଉଭୟ ବୋଲି ସେ କହିଛନ୍ତି।

Share