Categories: ଜାତୀୟ

ବେଙ୍ଗାଲୁରୁ ଫାର୍ମକୁ କ୍ଷତିପୂରଣ ଦେବା ପାଇଁ ଇସ୍ରୋକୁ ନିର୍ଦ୍ଦେଶ

ଓ୍ବାଶିଂଟନ,୩୧।୧୦: ଡେଭାସ ମଲ୍ଟିମିଡିଆ ନାମକ ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍‌କୁ ୧.୨ ବିଲିୟନ ଡଲାର କ୍ଷତିପୂରଣ ଦେବା ଲାଗି ଆମେରିକାର ଏକ ଅଦାଲତ ଇସ୍ରୋର ବ୍ୟବସାୟିକ ଶାଖା ଆଣ୍ଟ୍ରିକ୍ସ କର୍ପୋରେଶନକୁ ନିର୍ଦ୍ଦେଶ ଦେଇଛି। ୨୦୦୫ରେ ଉକ୍ତ ଷ୍ଟାର୍ଟଅପ୍‌ର ଏକ ସାଟେଲାଇଟ୍‌ ଚୁକ୍ତିନାମାକୁ ଆଣ୍ଟ୍ରିକ୍ସ କର୍ପୋରେଶନ ବାତିଲ କରିଥିଲା। ୨୦୦୫ ଜାନୁୟାରୀରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଆଣ୍ଟ୍ରିକ୍ସ ଦୁଇଟି ସାଟେଲାଇଟ୍‌ ନିର୍ମାଣ କରିବା ସହ ଏହାକୁ ଲଞ୍ଚ କରିବା ଓ ପରିଚାଳନା କରିବା ପାଇଁ ରାଜି ହୋଇଥଲା। ଏଥିସହିତ ଡେଭାସ୍‌କୁ ୭୦ ମେଗାହର୍ଜ ଏସ୍‌-ବ୍ୟାଣ୍ଡ ସ୍ପେକ୍ଟ୍ରମ୍‌ ଉପଲବ୍ଧ ହୋଇଥାନ୍ତା, ଯାହାକୁ ସେ ହାଇବ୍ରିଡ୍‌ ସାଟେଲାଇଟ ପ୍ରଦାନ କରିବା ଓ ଭାରତରେ ଯୋଗାଯୋଗ ସେବା ଯୋଗାଇବାରେ ବ୍ୟବହାର କରିଥାନ୍ତା। ତେବେ ୨୦୧୧ ଫେବୃୟାରୀରେ ଆଣ୍ଟ୍ରିକ୍ସ ଏହି ଚୁକ୍ତିନାମାକୁ ରଦ୍ଦ କରିଦେଇଥିଲା। ଫଳରେ ଡେଭାସ ଭାରତର ବିଭିନ୍ନ ଅଦାଲତର ଦ୍ୱାରସ୍ଥ ହୋଇଥିଲା। ଟ୍ରିବ୍ୟୁନାଲକୁ ଯିବା ଲାଗି ସୁପ୍ରିମକୋର୍ଟ ଉକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଡେଭାସ ଆମେରିକା ଓ୍ବାଶିଂଟନ ଡିଷ୍ଟ୍ରିକ୍ଟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଡେଭାସ ମଲ୍ଟିମିଡିଆ କର୍ପୋରେଶନକୁ ୫୬୨.୫ ନିୟୁତ ଡଲାର କ୍ଷତିପୂରଣ ଓ ସୁଧ ସମେତ ମୋଟ ୧.୨ ବିଲିୟନ ଡଲାର ପ୍ରଦାନ କରିବାକୁ ବିଚାରପତି ଥୋମାସ୍‌ ଏସ୍‌ ଜିଲ୍ଲୀ ଆଣ୍ଟ୍ରିକ୍ସ କର୍ପୋରେଶନକୁ ଗତ ୨୭ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି।

Share