ବେଙ୍ଗାଲୁରୁ,୨୫ା୯: ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟୋଦୟ ହୋଇଥିଲେ ମଧ୍ୟ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସୁପ୍ତ ଅବସ୍ଥାରୁ ଜାଗ୍ରତ ହୋଇପାରୁ ନାହିଁ। ଇସ୍ରୋ ଉଠାଇବା ପାଇଁ ଉଦ୍ୟମ ଜାରି ରଖିଛି। ହେଲେ ଆଉ ୧୪ ଦିନ ଅପେକ୍ଷା କରିବାକୁ ଇସ୍ରୋ ପକ୍ଷରୁ କୁହାଯାଇଛି। ଲ୍ୟାଣ୍ଡର ଏବଂ ରୋଭର ଅଟକି ରହିଥିବା ଶିବଶକ୍ତି ପଏଣ୍ଟରେ ଅକ୍ଟୋବର ୬ରେ ସୂର୍ଯ୍ୟାସ୍ତ ହେବ। ଏହି ସମୟ ମଧ୍ୟରେ ଯୋଗାଯୋଗ ସ୍ଥାପନ ହେବା ନେଇ ଇସ୍ରୋ ଆଶାବାଦୀ ରହିବା ସହ ଉଦ୍ୟମ ଜାରି ରଖିଛି। ତେବେ କେବେ ସମ୍ପର୍କ ସ୍ଥାପନ ହେବ ତାହା ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ ସୂଚନା ଦେଇଛନ୍ତି।