ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଦିଗରେ ୨୦୪୦ ସୁଦ୍ଧା ଲୁନାର ସ୍ପେସ୍ ଷ୍ଟେଶନ୍ ନିର୍ମାଣ କରିବାକୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଯୋଜନା ପ୍ରସ୍ତୁତ କରିଛି। ଭାରତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ର ମିଶନର ତୃତୀୟ ପର୍ଯ୍ୟାୟରେ ଇସ୍ରୋର ଏହି ଯୋଜନା ସମ୍ପର୍କରେ ଉଲ୍ଲେଖ ରହିଛି। ଦେଶର ପରବର୍ତ୍ତୀ ଚନ୍ଦ୍ର ଗବେଷଣା କାର୍ଯ୍ୟକ୍ରମ ପାଇଁ ନିକଟରେ ଇସ୍ରୋ ପକ୍ଷରୁ ଏକ ୩ ପର୍ଯ୍ୟାୟ ବିଶିଷ୍ଟ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲା। ପ୍ରଥମ ପର୍ଯ୍ୟାୟରେ ‘ଚନ୍ଦ୍ରଯାନ-୪’ ମିଶନ ଅନ୍ତର୍ଗତ ଅଧିକ ଗବେଷଣା ପାଇଁ ଚନ୍ଦ୍ରରୁ ନମୁନା ସଂଗ୍ରହ କରାଯିବ। ସେହିପରି ଏହି ପର୍ଯ୍ୟାୟରେ ଇସ୍ରୋ ବୈଷୟିକ ବିକାଶ ଏବଂ ରୋବୋଟିକ୍ ମିଶନ ଉପରେ ଧ୍ୟାନ କେନ୍ଦ୍ରିତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ୨୦୪୦ ସୁଦ୍ଧା ଜଣେ ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା ପାଇଁ ଇସ୍ରୋ ଲକ୍ଷ୍ୟ ରଖିଛି। ତେବେ ତୃତୀୟ ପର୍ଯ୍ୟାୟରେ ଲୁନାର ସ୍ପେସ୍ ଷ୍ଟେଶନ୍ର ନିର୍ମାଣ ହେବ ବୋଲି ସୋମବାର ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଲୁନାର ସ୍ପେସ୍ ଷ୍ଟେଶନ୍ ଦ୍ୱାରା ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଅଗ୍ରଗତି କରିବା ସହ ଭବିଷ୍ୟତରେ ବିଭିନ୍ନ ମହାକାଶ ମିଶନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ କାର୍ଯ୍ୟ କରିବ। ଚନ୍ଦ୍ରର ଭୂବିଜ୍ଞାନ ଅଧ୍ୟୟନରେ ଉକ୍ତ ସ୍ପେସ୍ ଷ୍ଟେଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।