Categories: ଜାତୀୟ

ଇସ୍ରୋର ସୌର ମିଶନ: ୪ମାସ ପର୍ଯ୍ୟନ୍ତ ଯାତ୍ରା କରିବ ‘ଆଦିତ୍ୟ ଏଲ୍‌-୧’

ବେଙ୍ଗାଲୁରୁ,୩୧ା୮: ଇସ୍ରୋର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍‌-୧ ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଗତ ସପ୍ତାହରେ ଚନ୍ଦ୍ରପୃଷ୍ଠର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂର ଉଲ୍ଲେଖନୀୟ ସଫଳତା ପରେ ମହାକାଶଯାନ ‘ଆଦିତ୍ୟ’ ୨ ତାରିଖ ସକାଳ ୧୧.୫୦ରେ ଉତ୍‌କ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି। ଆଦିତ୍ୟ ଏଲ୍‌-୧ ମିଶନ ସହିତ ଇସ୍ରୋ ମହାକାଶଯାନକୁ ପୃଥିବୀଠାରୁ ପ୍ରାୟ ୧.୫ ମିଲିୟନ କିଲୋମିଟର ଦୂରରେ ଥିବା ସୂର୍ଯ୍ୟ-ପୃଥିବୀ ବ୍ୟବସ୍ଥାରେ ଲାଗ୍ରେଞ୍ଜ ପଏଣ୍ଟ ୧ (ଏଲ୍‌ ୧) ଚାରିପାଖରେ ଏକ ‘ହାଲୋ କକ୍ଷପଥ’ ମଧ୍ୟରେ ରଖିବାକୁ ଲକ୍ଷ୍ୟ ରଖିଛି।

ସ୍ପେସ ଏଜେନ୍ସି କହିଛି, ମିଶନ ମାଧ୍ୟମରେ ଇସ୍ରୋ ପ୍ରକୃତ ସମୟରେ ମହାକାଶ ପାଣିପାଗ ଉପରେ ସୌର କାର୍ଯ୍ୟକଳାପର ପ୍ରଭାବ ଅଧ୍ୟୟନ କରିବ। ମିଶନର ଅନ୍ୟାନ୍ୟ ମୁଖ୍ୟ ଉଦ୍ଦେଶ୍ୟରେ କରୋନାଲ ହିଟିଂ, କରୋନାଲ ମାସ ଇଜେକସନ, ପ୍ରି-ଫ୍ଲେୟାର୍‌ ଏବଂ ଫ୍ଲେୟାର୍‌ କାର୍ଯ୍ୟକଳାପ ଏବଂ ଏହାର ବୈଶିଷ୍ଟ୍ୟ, ଗତିଶୀଳତା, ସ୍ପେସ ପାଗ, କଣିକା ଏବଂ କ୍ଷେତ୍ରର ପ୍ରସାର ଇତ୍ୟାଦି ବୁଝିବ। ଇସ୍ରୋ କହିଛି, ‘ପୃଥିବୀରୁ ନିର୍ଦ୍ଧାରିତ ମିଶନ ସାଇଟକୁ ଯାତ୍ରା ୧.୫ ମିଲିୟନ କିଲୋମିଟର ଅଟେ ଏବଂ ପହଞ୍ଚିବା ପାଇଁ ୪ ମାସ ସମୟ ଲାଗିବ।’

Share