ବଲାଙ୍ଗୀର ଅଫିସ,୨୭।୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ରାଜ୍ୟ ସୂଚନା କମିଶନଙ୍କ ଉଲ୍ଲେଖନୀୟ ରାୟ ପ୍ରକାଶ ପାଇଛି।
ଶନିବାର ସ୍ଥାନୀୟ ଯାଦବ ଭବନ ପରିସରରେ ଓଡ଼ିଶା ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୂର୍ବ ଜନ ସୂଚନା ଅଧିକାରୀ ଏସ୍. କେ. ଚାଟାର୍ଜୀ ରତ୍ନଭଣ୍ଡାର ଚାବି ଓ ମନ୍ଦିର ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନ ଥାଇ ସୂଚନା ପ୍ରଦାନ କରିବାରେ ଅବହେଳା କରିଥିଲେ। ଉକ୍ତ ପ୍ରସଙ୍ଗରେ ସୂଚନା ଅଧିକାର କର୍ମୀ ପଣ୍ଡା ଆଇନ ଅନୁଯାୟୀ ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ମାମଲାର ବିଚାର କରି ରାଜ୍ୟ ସୂଚନା କମିଶନର ସଞ୍ଜୟ କେଶରୀ ସ୍ବାଇଁ ତାଙ୍କ ଉଲ୍ଲେଖନୀୟ ରାୟରେ ୨୫ ହଜାର ଟଙ୍କା ଅର୍ଥ ଦଣ୍ଡ କରିଛନ୍ତି।
ସୂଚନା ଆଇନ ଅନୁପାଳନ କରାଯାଇ ନ ଥିବା କାରଣରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଜଣେ ଜନ ସୂଚନା ଅଧିକାରୀଙ୍କୁ ଆଇନାନୁମୋଦିତ ଭାବେ ସର୍ବାଧିକ ଅର୍ଥଦଣ୍ଡରେ ଦଣ୍ଡିତ କରାଯିବା ସର୍ବପ୍ରଥମ ଘଟଣା ବୋଲି ସୂଚନା କର୍ମୀ ପଣ୍ଡା ସୂଚନା ଦେଇଛନ୍ତି।