କୋରାପୁଟରେ ୧୪୪ ଧାରା ଜାରିକଲେ ଜିଲାପାଳ

କୋରାପୁଟ,୧୧ା୫(ଅମିତାଭ ବେହେରା): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଶନିବାର ସନ୍ଧ୍ୟା ୬ଟାରୁ କୋରାପୁଟ ଜିଲା ବ୍ୟାପି ୧୪୪ ଧାରା ଜାରି କରିଛନ୍ତି କୋରାପୁଟ ଜିଲାପାଳ। ଶନିବାର କୋରାପୁଟ ଜିଲାପାଳ ପତ୍ରସଂଖ୍ୟା ୨୪୦୨/୧୧.୫.୨୪ ଜରିଆରେ ଏହି ୧୪୪ ଧାରା ଜାରି କରାଯାଇଛି।
ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଏହା ଲାଗୁ କରାଯାଇଛି। ବର୍ତ୍ତମାନ ଜିଲାର କୌଣସି ସ୍ଥାନରେ ଲୋକଙ୍କ ଜମା ନ ହେବା, ମାଇକ୍‌ ପ୍ରଚାର, ବୈଠକ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। କୌଣସି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପୂର୍ବରୁ ଆସିଥିବା ବାହାର ଜିଲାର ସମର୍ଥକ ଓ ଅନ୍ୟ କୌଣସି ବ୍ୟକ୍ତିମାନେ ତୁରନ୍ତ କୋରାପୁଟ ଜିଲା ଛାଡ଼ିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମତଦାନ କେନ୍ଦ୍ରର ୧୦୦ ମିଟର ପରିସରରେ ମୋବାଇଲ ବାରଣ କରାଯାଇଛି। କୋରାପୁଟ ଜିଲାର ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାନସଭା ମଣ୍ଡଳୀ ପାଇଁ ଶନିବାର ଅପରାହ୍ନ ୪ଟାରୁ ଏହି ନିର୍ଦ୍ଦେଶନାମା ଲାଗୁ କରାଯାଇଥିବା ବେଳେ କୋରାପୁଟ ଓ କୋଟପାଡ଼ ନିର୍ବାଚନ ମଣ୍ଡଳୀ ପାଇଁ ସନ୍ଧ୍ୟା ୫ଟା ଓ ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ସନ୍ଧ୍ୟା ୫ଟାରୁ ଏହି ୧୪୪ ଧାରା ଲାଗୁ କରାଯାଇଥିବା ଜିଲାପାଳ ଭି. କୀର୍ତ୍ତି ଭାସନ ପ୍ରକାଶ କରିଛନ୍ତି। ଏହି ନିର୍ଦ୍ଦେଶନାମା ୧୪ ତାରିଖ ଯାଏ ଲାଗୁ ରହିବ ବୋଲି କୁହାଯାଇଛି। ଏହି ନିର୍ଦ୍ଦେଶନାମା କଡ଼ାକଡ଼ି ଲାଗୁ କରିବା ପାଇଁ ଜିଲାର ଉପଜିଲାପାଳ, ତହସିଲଦାର, ବିଡିଓ, ସହରାଞ୍ଚଳ ସମସ୍ତ ନିର୍ବାହୀ ଅଧିକାରୀ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି।

Share