Categories: ବାଣିଜ୍ୟ

ଆଇଟି କମ୍ପାନୀ ଦେଇପାରନ୍ତି ୯୧ ହଜାର ନିଯୁକ୍ତି

ବାଙ୍ଗାଲୋର: ଦେଶର ୪ ପ୍ରମୁଖ ଆଇଟି କମ୍ପାନୀ ଟିସିଏସ୍‌, ଇନ୍‌ଫୋସିସ୍‌, ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଏବଂ ଓ୍ବିପ୍ରୋ ୨୦୨୧-୨୨ରେ ପ୍ରାୟ ୯୧ ହଜାର ଫ୍ରେସରଙ୍କୁ ନିଯୁକ୍ତି କରିପାରନ୍ତି। ଲକ୍‌ଡାଉନ ପରେ ଚାହିଦା ପୁଣି ଥରେ ଫେରୁଥିବାରୁ ଏହି ୪ କମ୍ପାନୀ ମିଳିତ ଭାବେ ଏଭଳି ନୂଆ ନିଯୁକ୍ତି ଦେବା ନେଇ ଆକଳନ କରାଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ ଅଧିକ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଟିସିଏସ୍‌ର କାର୍ଯ୍ୟନିର୍ବାହୀ ଉପସଭାପତି ଏବଂ ଗ୍ଲୋବାଲ ମାନବ ସମ୍ବଳ ମୁଖ୍ୟ ମିଲିନ୍ଦ ଲାକାଡ କହିଛନ୍ତି, ଚଳିତ ବର୍ଷ କମ୍ପାନୀ ୪୦ ହଜାରଙ୍କୁ ନିଯୁକ୍ତି ଦେଇଛି। ଆସନ୍ତା ବର୍ଷ ମଧ୍ୟ ସମାନ ସଂଖ୍ୟକ ନିଯୁକ୍ତି ଦିଆଯିବ। ଆସନ୍ତା ଆର୍ଥତ୍କ ବର୍ଷରେ ୨୪ ହଜାର ଗ୍ରାଜୁଏଟଙ୍କୁ ନିଯୁକ୍ତି ଦେବା ଲାଗି ଇନ୍‌ଫୋସିସ୍‌ ଯୋଜନା ରଖିଛି। କମ୍ପାନୀ ଚଳିତ ବର୍ଷ ୧୫ ହଜାର ନିଯୁକ୍ତି ପ୍ରଦାନ କରିବ ବୋଲି ପୂର୍ବରୁ କହିଥିଲା। ଏହାବାଦ ଏଚ୍‌ସିଏଲ୍‌ ଟେକ୍ନୋଲୋଜିରେ ୧୫ ହଜାର ଫ୍ରେସରଙ୍କୁ ନିଯୁକ୍ତି ମିଳିବା ନେଇ ଏହାର ମାନବ ସମ୍ବଳ ମୁଖ୍ୟ ଆପାରାଓ ଭିଭି କହିଛନ୍ତି। ସେହିଭଳି ଚାହିଦା ବଢୁଥିବାରୁ ଆଗାମୀ ଦିନରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ବୋଲି ଓ୍ବିପ୍ରୋର ମୁଖ୍ୟ ଏଚ୍‌.ଆର୍‌. ଅଧିକାରୀ ସୌରଭ ଗୋଭିଲ କହିଛନ୍ତି।

Share