Categories: ଜାତୀୟ

‘ସାମ୍ବାଦିକତା ଉପରେ ମୋଦିଶାହଙ୍କ ପ୍ରହାର’

ନୂଆଦିଲ୍ଲୀ,୨୨।୭: ଦୈନିକ ଭାସ୍କର ନ୍ୟୁଜପେପର ଗ୍ରୁପ୍‌ର ମାଲିକାନାରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ଗୁରୁବାର ଚଢ଼ାଉ କରିଛି ଆଇଟି ବିଭାଗ। ଲକ୍ଷ୍ନୌ ସ୍ଥିତ ଭାରତ ସମାଚର ଟେଲିଭିନ ଚ୍ୟାନେଲ ଓ ଏହାର ଏଡିଟର ବ୍ରଜେଶ ମିଶ୍ରଙ୍କ ବାସଭବନ ଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହାକୁ କେନ୍ଦ୍ର କରି ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଟୁଇଟ୍‌ କରିଛନ୍ତି, ସାମ୍ବାଦିକତା ଉପରେ ଏହା ମୋଦିଶାହଙ୍କ ପ୍ରହାର। ସେମାନଙ୍କ ଅସ୍ତ୍ର ହେଉଛି ଆଇଟି, ଇଡି ଓ ସିବିଆଇ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ଚଢ଼ାଉକୁ ସମାଲୋଚନା କରିଛନ୍ତି।

ଦୈନିକ ଭାସ୍କର ଖବରକାଗଜର ପ୍ରମୋଟର୍ସଙ୍କ ବାସଭବନ ସମେତ ମଧ୍ୟପ୍ରଦେଶର ଭୋପାଳ ଓ ଇନ୍ଦୋର, ରାଜସ୍ଥାନର ଜୟପୁର, ଗୁଜରାଟର ଅହମ୍ମଦାବାଦ ଭଳି ୩୦ ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଛି। ଏ ସମ୍ପର୍କରେ ଖବରକାଗଜର ଜଣେ ବରିଷ୍ଠ ଏଡିଟର ସୂଚନା ଦେଇଛନ୍ତି। ଚଢ଼ାଉ କାର୍ଯ୍ୟରେ ଅତିକମ୍‌ରେ ୧୦୦ ଆଇଟି ବିଭାଗ ଅଧିକାରୀ ସାମିଲ ଅଛନ୍ତି। ଚଢ଼ାଉବେଳେ ଅଫିସରେ ଥିବା କର୍ମଚାରୀଙ୍କ ଫୋନ ଛଡ଼ାଇ ନିଆଯିବା ସହ ବାହାରକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା ବୋଲି ଦୈନିକ ଭାସ୍କର ପକ୍ଷରୁ କୁହାଯାଇଛି। ତେବେ ଆଇଟି ବିଭାଗ ତା’ କାମ କରୁଛି। ସେଥିରେ ଆମ ହସ୍ତକ୍ଷେପ ଦରକାର ନାହିଁ ବୋଲି ନୂଆ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।

Share