କାମରେ ଲାଗୁନି ମୁକ୍ତାକାଶ ବ୍ୟାୟାମଶାଳା

ପାରାଦୀପ,୧୩।୯(ଶରତ ରାଉତ): ପାରାଦୀପ ପୌରାଞ୍ଚଳକୁ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ପୌରପାଳିକା ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ନୂଆକରି ହେଉଥିବା ବିଭିନ୍ନ ପ୍ରକଳ୍ପ କେଉଁଠି କାମରେ ଲାଗୁଛି ତ କେଉଁଠି ବ୍ୟବହାର ହେଉ ନ ଥିବା ଦେଖିବାକୁ ମିଳିଛି। ଏମିତି ଏକ ନୂତନ ପ୍ରକଳ୍ପ ହେଲା ପୌରାଞ୍ଚଳ ୧୪ ନଂ. ୱାର୍ଡ ଅନ୍ତର୍ଗତ ଆମ୍ବେଡକର ପ୍ରତିମୂର୍ତ୍ତି ସ୍ଥଳରେ ହୋଇଥିବା ମୁକ୍ତାକାଶ ବ୍ୟାୟାମଶାଳା। ଚଳିତବର୍ଷ ଜୁନ୍‌ରେ ଏହି ବ୍ୟାୟାମଶାଳା ନିର୍ମାଣ ହୋଇଛି। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା ଅଧୀନରେ ଏହା ଜନସାଧାରଣଙ୍କ ପାଇଁ କରାଯାଇଛି। ଏଥିପାଇଁ ୧୯ ଲକ୍ଷ ୯୯ ହଜାର ଟଙ୍କା ବ୍ୟୟ ହୋଇଛି ବୋଲି ସେଠାରେ ଥିବା ଏକ ପାଚେରୀରେ ଲେଖା ଯାଇଛି। କିନ୍ତୁ ସେହି ବ୍ୟାୟାମଶାଳା ଉପକରଣ ତଳେ ବଣୁଆ ଘାସ ଉଠି ଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ଉପକରଣ ଗୁଡିକରେ ନୂଆ ବେଳେ ପ୍ୟାକିଂ ହୋଇଥିବା ଜରି ମଧ୍ୟ ଛାଡିନାହିଁ। ଅର୍ଥାତ ସେଠାରେ କେହି ବ୍ୟାୟାମ କରୁ ନ ଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ସମାନ ଜାଗାରେ ଏଭଳି ବ୍ୟାୟାମ ଉପକରଣ ଲାଗିଥିଲା। ତାହା କଳଙ୍କି ଲାଗି ନଷ୍ଟ ହେବା ପରେ ପୁଣି ଚଳିତବର୍ଷ ନୂଆକରି ଲାଗିଛି। ଏପରି ଅଚଳ ରହିବା ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିବାରେ ସମ୍ପୃକ୍ତ ଠିକାସଂସ୍ଥା ବ୍ୟାୟାମ ସ୍ଥଳରେ ଟାଇଲ୍‌ ପକାଇବା କଥା। ସେପରି କରି ନ ଥିବାରୁ ସକାଳ ସାରେ ଭ୍ରମଣ କରୁଥିବା ଲୋକ ତାହାକୁ ବ୍ୟବହାର କରୁ ନାହାନ୍ତି। ଖୁବ୍‌ଶୀଘ୍ର ତାହା କରାଯିବ ବୋଲି ସେ କହିଛନ୍ତି।

Share